ଚତୁର୍ବିଂଶ ଜାତୀୟ ଲୋକମେଳା ଓ ସପ୍ତଦଶ ଜାତୀୟ କୃଷିମେଳା ୨୦୨୬ ଉଦ୍ଘାଟିତ
ପୁରୀ : ଶ୍ରୀକ୍ଷେତ୍ର ସୂଚନା, ପୁରୀ ପକ୍ଷରୁ ଆୟୋଜିତ ୨୪ତମ ଜାତୀୟ ଲୋକମେଳା–୨୦୨୬ ଓ ୧୭ତମ ଜାତୀୟ କୃଷିମେଳା–୨୦୨୬ର ପଞ୍ଚଦିବସୀୟ ମହୋତ୍ସବ ପୁରୀ ସମୁଦ୍ରତଟସ୍ଥ ଗୋଲ୍ଡେନ ସି ବିଚ୍ ପ୍ରାଙ୍ଗଣରେ ଆଡମ୍ବରପୂର୍ଣ୍ଣ ଭାବେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଦ୍ବାରା ଉଦ୍ଘାଟିତ ହୋଇଛି। ଏହି ଜାତୀୟ ସ୍ତରୀୟ ମେଳା ୧ ଜୁନରୁ ୫ ଜୁନ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଲୋକ ସଂସ୍କୃତି, ଆଦିବାସୀ ପରିଚୟ ଏବଂ ଆଧୁନିକ କୃଷି ପ୍ରଯୁକ୍ତିର ସମନ୍ୱୟ ମାଧ୍ୟମରେ ଆତ୍ମନିର୍ଭର ଭାରତ ଗଠନରେ ଏପରି ଜାତୀୟ ମେଳାର ଗୁରୁତ୍ୱ ଉପରେ ମତ ରଖିଥିଲେ। ଆସନ୍ତା ବର୍ଷ ଯେହେତୁ କାର୍ଯ୍ୟକ୍ରମକୁ ୨୫ ବର୍ଷ ହେଉଛି ତେଣୁ ଆୟୋଜକ ମାନଙ୍କ ଅନୁରୋଧ ଓ ଠାକୁରଙ୍କ ନିମନ୍ତ୍ରଣ ରକ୍ଷା କରି ଆରବର୍ଷ ନିଶ୍ଚୟ ଆସିବି ବୋଲି ଉପ ମୁଖ୍ୟମନ୍ତ୍ରୀ କହିବା ସହ ଭାରତବର୍ଷର ସବୁ ରାଜ୍ୟର କୃଷିମନ୍ତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କ ରାଜ୍ୟର କୃଷକ ଓ ସାଂସ୍କୃତିକ ଦଳ ମାନଙ୍କୁ ଆମନ୍ତ୍ରଣ କରିବା ସମ୍ପର୍କରେ ସୂଚନା ଦେଇଥିଲେ। ବିକଶିତ ଭାରତ ୨୦୪୭ ଓ ବିକଶିତ ଓଡିଶା ୨୦୩୬ କୁ ସମ୍ମିଳିତ ସହଯୋଗରେ ସଫଳ କରିବା, ଏକ ଭାରତ- ଶ୍ରେଷ୍ଠ ଭାରତ ପୁରୀ ମାଟିରୁ ଆରମ୍ଭ ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ।
ଉଦ୍ଘାଟନୀ ଅଧିବେଶନରେ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ ପରେ ପ୍ରଦୀପ ପ୍ରଜ୍ୱଳନ ଓ ବେଦପାଠ ମାଧ୍ୟମରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ସ୍ୱାଗତ ଅଭିଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ ପରେ ଶ୍ରୀକ୍ଷେତ୍ର ସୂଚନାର ସାଧାରଣ ସମ୍ପାଦକ ରାଜେଶ କୁମାର ମହାନ୍ତି ସଂସ୍ଥାର କାର୍ଯ୍ୟକଳାପ ଓ ମେଳାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।
ଆଗାମୀ ରୌପ୍ୟ ଜୟନ୍ତୀ ଲୋକମେଳା ନିମନ୍ତେ ସମସ୍ତ ଅତିଥିଙ୍କୁ ଶ୍ରୀମନ୍ଦିରର ଗୁଆ ଓ ମହାପ୍ରସାଦ ନିମନ୍ତ୍ରଣ ମାଧବଚନ୍ଦ୍ର ପୂଜାପଣ୍ଡା ସାମନ୍ତଙ୍କ ଦ୍ୱାରା ଅର୍ପଣ କରାଯାଇଥିଲା। ଏହି ଅବସରରେ ଶ୍ରୀକ୍ଷେତ୍ର ସୂଚନାର ଅଧ୍ୟକ୍ଷ ତଥା ପୂର୍ବତନ କୁଳପତି ଆଚାର୍ଯ୍ୟ ହରେକୃଷ୍ଣ ଶତପଥୀ ଲୋକମେଳାର ୨୪ ବର୍ଷର ଯାତ୍ରା, ଆଦିବାସୀ ଓ ଲୋକ ସଂସ୍କୃତିର ସଂରକ୍ଷଣ ଏବଂ କୃଷିମେଳା ମାଧ୍ୟମରେ କୃଷକ ସଶକ୍ତିକରଣ ଉପରେ ମତବ୍ୟକ୍ତ କରିଥିଲେ। ଉଦ୍ଘାଟନୀ ଉତ୍ସବରେ ରାଜ୍ୟସଭା ସଦସ୍ୟ ଶୁଭାଶିଷ ଖୁଣ୍ଟିଆ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ଯେ ତୀର୍ଥ ଓ ପର୍ଯ୍ୟଟନର ମହାସଂଗମ ସ୍ଥଳୀ ଶ୍ରୀକ୍ଷେତ୍ରରେ ଆୟୋଜିତ ଏହି ଜାତୀୟ ଲୋକକଳା ଓ କୃଷି ମେଳା,ଶିକ୍ଷା ,କଳା ଓ ସଂସ୍କୃତିର ପ୍ରେରଣା ମଞ୍ଚ ହେଉ।ଏହି ଅବସରରେ ବିଭିନ୍ନ ରାଜ୍ୟରୁ ଆସିଥିବା ଲୋକ ଓ ଆଦିବାସୀ କଳାକାର ଦଳମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅତିଥିମାନଙ୍କୁ ସ୍ମାରକ ପ୍ରଦାନ କରାଯାଇଥିବା ବେଳେ ଆୟୋଜକ କମିଟିର ସଭାପତି ଜୟନ୍ତ କୁମାର ଷଡ଼ଙ୍ଗୀ ଅଧ୍ୟକ୍ଷୀୟ ଭାଷଣ ପ୍ରଦାନ କରିଥିଲେ। ଏଥିରେ ପ୍ରଶାସନିକ କମିଟିର ଅଧ୍ୟକ୍ଷ ବଦ୍ରି ମିଶ୍ର ସ୍ବାଗତ ଓ ପରିଚୟ ପ୍ରଦାନ କରିଥିବା ବେଳେ, ମାଧବ ଚନ୍ଦ୍ର ପୂଜାପଣ୍ଡା ସାମନ୍ତ, ମା ସୁଭଦ୍ରାଙ୍କ ବାଡଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ର ଓ ସନ୍ତୋଷ କୁମାର ମହାନ୍ତି ଉତ୍ସବ ଉପରେ ମତବ୍ୟକ୍ତ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ ସହ ଉଦ୍ଘାଟନୀ ଅଧିବେଶନ ସମାପ୍ତ ହୋଇଥିଲା।
ଉଦ୍ଘାଟନୀ ଉତ୍ସବ ପରେ ସାଂସ୍କୃତିକ ସନ୍ଧ୍ୟାରେ ଓଡ଼ିଶା ସମେତ ଜମ୍ମୁ-କାଶ୍ମୀର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ତ୍ରିପୁରା, ଅସମ ଓ ଅନ୍ୟାନ୍ୟ ରାଜ୍ୟର କଳାକାରମାନେ ପାରମ୍ପରିକ ଲୋକନୃତ୍ୟ, ଆଦିବାସୀ ନୃତ୍ୟ, ଲୋକଗୀତ ଏବଂ ସାଂସ୍କୃତିକ ଉପସ୍ଥାପନା ମାଧ୍ୟମରେ ଦର୍ଶକମାନଙ୍କୁ ମୁଗ୍ଧ କରିଥିଲେ। ବିଭିନ୍ନ ଜନଜାତିର ପୋଷାକ, ସଙ୍ଗୀତ, ନୃତ୍ୟ ଓ ଲୋକପରମ୍ପରାର ଜୀବନ୍ତ ପ୍ରଦର୍ଶନ ଏହି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା। ଲୋକ କଳା ଭାରତର ଆଦିବାସୀ ଓ ଲୋକ ସଂସ୍କୃତିର ସଂରକ୍ଷଣ, ପ୍ରଚାର ଏବଂ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଆଦର୍ଶକୁ ସୁଦୃଢ଼ କରିବାର ଏକ ଜାତୀୟ ମଞ୍ଚ ହୋଇଥିବା ବେଳେ,କୃଷି ମେଳା କୃଷକ, ଗବେଷକ, କୃଷି ଉଦ୍ୟୋଗୀ ଓ ସଂସ୍ଥାମାନଙ୍କ ମଧ୍ୟରେ ଜ୍ଞାନ ଓ ପ୍ରଯୁକ୍ତି ବିନିମୟର ଏକ ଅନନ୍ୟ ଜାତୀୟ ପ୍ଲାଟଫର୍ମ ଭାବେ ଉଭା ହୋଇଛି। ପାଞ୍ଚ ଦିନ ଧରି ଉଭୟ ମେଳାରେ ଦେଶର ବିଭିନ୍ନ ରାଜ୍ୟର ସାଂସ୍କୃତିକ ଦଳ, ହସ୍ତଶିଳ୍ପୀ, କୃଷି ସଂସ୍ଥା, ସରକାରୀ ବିଭାଗ ଓ ପ୍ରଦର୍ଶକମାନେ ଅଂଶଗ୍ରହଣ କରିବେ।


