ଧଉଳି ମାଷ୍ଟର ପ୍ଲାନ-ପୁନର୍ବିକାଶ, ଇଭି (EV) ସୁବିଧା ଏବଂ ରଥଯାତ୍ରା ପର୍ଯ୍ୟଟନ ଯୋଜନାର ସମୀକ୍ଷା

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ମଙ୍ଗଳବାର ଦିନ ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନର ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ରାଜ୍ୟରେ ଚାଲିଥିବା ବିଭିନ୍ନ ପର୍ଯ୍ୟଟନ ଭିତ୍ତିଭୂମି ପ୍ରକଳ୍ପ, ପର୍ଯ୍ୟଟନ ସ୍ଥଳୀର ବିକାଶମୂଳକ କାର୍ଯ୍ୟ ଏବଂ ପ୍ରଚାର ପ୍ରସାରର ସ୍ଥିତି ଆଲୋଚନା ହୋଇଥିଲା। ଶ୍ରୀମତୀ ପରିଡ଼ା ଧଉଳି ଆଖପାଖରେ ହେବାକୁଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଏହି ଐତିହ୍ୟ ସ୍ଥଳରେ ପର୍ଯ୍ୟଟକମାନଙ୍କ ଅନୁଭୂତିକୁ ଅଧିକ ସମୃଦ୍ଧ କରିବା ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ଧଉଳି ମାଷ୍ଟର ପ୍ଲାନର ଏକ ଅଂଶ ସ୍ୱରୂପ ପରିବେଶ ଅନୁକୂଳ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଏବଂ ପର୍ଯ୍ୟଟକମାନଙ୍କୁ ଅଧିକ ସୁବିଧା ଯୋଗାଇଦେବା ପାଇଁ ସେ ପର୍ଯ୍ୟଟକ ଓ ସ୍ଥାନୀୟ ଯାତାୟାତ ନିମନ୍ତେ ବୈଦ୍ୟୁତିକ ଯାନ (EVs) ପ୍ରଚଳନ ଉପରେ ଗୁରୁତ୍ୱାରୋପ କରିଥିଲେ।

ଉପମୁଖ୍ୟମନ୍ତ୍ରୀ ବିବିଏସଆର (ଭୁବନେଶ୍ୱର)–ପୁରୀ କରିଡର ମଧ୍ୟରେ ଥିବା କପିଳେଶ୍ୱର ଏବଂ ସୁଖମେଶ୍ୱର ମନ୍ଦିର ସହିତ ଦାସିଆ ବାଉରୀ ପୀଠ ଏବଂ ଅନ୍ୟାନ୍ୟ ଐତିହ୍ୟ ସ୍ଥଳଗୁଡ଼ିକର ସୌନ୍ଦର୍ଯ୍ୟକରଣ ଏବଂ ସମନ୍ୱିତ ବିକାଶର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ସେ ସମ୍ପୃକ୍ତ ବିଭାଗ ଏବଂ କର୍ତ୍ତୃପକ୍ଷଙ୍କଠାରୁ ଆବଶ୍ୟକୀୟ ମଞ୍ଜୁରୀ ଓ ଅନୁମତି ପାଇବା ପରେ ସମନ୍ୱୟ ରକ୍ଷା କରି ପ୍ରସ୍ତାବିତ କାର୍ଯ୍ୟଗୁଡ଼ିକ ହାତକୁ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ରଥଯାତ୍ରା ଏବଂ ଏଥିପାଇଁ ଆସିବାକୁ ଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-ପୁରୀ କରିଡର ପାଇଁ ବିଭାଗର ବିଜ୍ଞାପନ ଏବଂ ପ୍ରଚାର ଯୋଜନା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ଏହି ବୈଠକରେ ହୋମଷ୍ଟେ (Homestays), ଆଡଭେଞ୍ଚର ପର୍ଯ୍ୟଟନ, ପର୍ଯ୍ୟଟକଙ୍କ ସୁରକ୍ଷା ଓ ନିରାପତ୍ତା ଏବଂ ପ୍ରମୁଖ ପର୍ଯ୍ୟଟନ ସ୍ଥଳଗୁଡ଼ିକରେ ପରିମଳ ବ୍ୟବସ୍ଥା ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା, ଯେଉଁଥିରେ ଓଡ଼ିଶାକୁ ଏକ ସ୍ୱଚ୍ଛ, ସୁରକ୍ଷିତ ଏବଂ ସାଂସ୍କୃତିକ ଭିତ୍ତିକ ସମୃଦ୍ଧ ପର୍ଯ୍ୟଟନ ସ୍ଥଳୀ ଭାବରେ ଗଢ଼ିତୋଳିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଉପମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ କ୍ଷେତ୍ରରେ ବେସରକାରୀ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ନୀତି ଓ ଯୋଜନାର ସମୀକ୍ଷା କରିଥିଲେ ଏବଂ ପର୍ଯ୍ୟଟନ ଭିତ୍ତିଭୂମି ତଥା ପୁଞ୍ଜିନିବେଶକୁ ସହଜ କରିବା ପାଇଁ ଏକ ସ୍ୱତନ୍ତ୍ର ପର୍ଯ୍ୟଟନ ଲ୍ୟାଣ୍ଡ ବ୍ୟାଙ୍କ (Land Bank) ଗଠନ ଉପରେ ଗୁରୁତ୍ୱ ଦେଇଥିଲେ। ପର୍ଯ୍ୟଟନ ବିଭାଗ ଦ୍ୱାରା ସଠିକ୍ ସମୟରେ ପୁଞ୍ଜିନିବେଶ ସବସିଡି ପ୍ରଦାନ ଏବଂ ହସ୍ପିଟାଲିଟି ପ୍ରକଳ୍ପଗୁଡ଼ିକର ଠିକ୍ ସମୟରେ ମଞ୍ଜୁରୀ ପାଇଁ କରାଯାଇଥିବା ପ୍ରୟାସକୁ ସେ ପ୍ରଶଂସା କରିଥିଲେ।ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂହ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପର୍ଯ୍ୟଟନ ବିଭାଗର କମିଶନର-ତଥା-ଶାସନ ସଚିବ ବଳବନ୍ତ ସିଂହ, ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ଏବଂ ପର୍ଯ୍ୟଟନ ବିଭାଗର ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *