- Administration
- Business
- Development
- Economy
- Education
- Employment
- Environment
- Governance
- Health
- Infrastructure
- Local
- National
- Service
- Technology
ବିକଶିତ ଭାରତ-୨୦୪୭ ପାଇଁ ସହରାଞ୍ଚଳ ବିକାଶ ଉପରେ ଗୁରୁତ୍ୱ
ଭୁବନେଶ୍ୱର: ବିକଶିତ ଭାରତ-୨୦୪୭ ଲକ୍ଷ୍ୟ ହାସଲ ଦିଗରେ ସହରାଞ୍ଚଳ ପ୍ରଶାସନ, ନଗର ଯୋଜନା ଓ ଜନସେବା ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ବିଭିନ୍ନ କାର୍ଯ୍ୟକାରୀ ପରାମର୍ଶ ସହ ଜାତୀୟ ସହରାଞ୍ଚଳ ସମ୍ମିଳନୀ-୨୦୨୬ ଭୁବନେଶ୍ୱରଠାରେ ଉଦ୍ଯାପିତ ହୋଇଯାଇଛି। ଏହି ସମାରୋହରେ କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ, ଓଡ଼ିଶାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର, ନୀତି ଆୟୋଗର ସଦସ୍ୟ ରାଜୀବ ଗୌବା, ଭାରତ ସରକାରଙ୍କ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ସହରାଞ୍ଚଳ ବିକାଶ ବିଭାଗର ସଚିବ ସତେନ୍ଦ୍ର ସିଂହ ଏବଂ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଯୋଗଦେଇଥିଲେ।
ଉଦ୍ଯାପନୀ ଅଭିଭାଷଣରେ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଭାରତର ସହରୀକରଣର ଐତିହାସିକ ବିକାଶଧାରା ଏବଂ ସହରାଞ୍ଚଳ ଭିତ୍ତିଭୂମି ଓ ସେବାର ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ନିରନ୍ତର ପ୍ରୟାସ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ, “ଆମ ସହରଗୁଡ଼ିକ ଭବିଷ୍ୟତରେ ସାମ୍ନା କରିବାକୁ ଥିବା ଆହ୍ୱାନଗୁଡ଼ିକ ଉପରେ ଆଲୋଚନା କରିବା ହିଁ ଏହି ସମ୍ମିଳନୀର ଉଦ୍ଦେଶ୍ୟ।” ଏହି ଅବସରରେ ସେ ଅମୃତ ଯୋଜନା, ସ୍ୱଚ୍ଛ ଭାରତ ମିଶନ୍-ସହରାଞ୍ଚଳ ଏବଂ ପିଏମ୍ ସ୍ୱନିଧି ଭଳି ଜାତୀୟ ଅଭିଯାନ ମାଧ୍ୟମରେ ପାନୀୟ ଜଳ ଓ ପରିମଳ ସେବାର ସମ୍ପ୍ରସାରଣ, ଆବର୍ଜନା ପରିଚାଳନାରେ ଉନ୍ନତି, ସହରାଞ୍ଚଳ ଯାତାୟାତ ବ୍ୟବସ୍ଥାର ସୁଦୃଢ଼ୀକରଣ ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣ କ୍ଷେତ୍ରରେ ହୋଇଥିବା ଅଗ୍ରଗତିକୁ ଉଲ୍ଲେଖ କରିଥିଲେ। ନିଯୁକ୍ତି କେନ୍ଦ୍ର ଓ ସାର୍ବଜନୀନ ପରିବହନ ବ୍ୟବସ୍ଥା ନିକଟରେ ସୁଲଭ ମୂଲ୍ୟରେ ଗୃହ ଉପଲବ୍ଧ କରାଇବା, ନିର୍ମାଣ କ୍ଷେତ୍ରରେ ପୁନଃଚକ୍ରଣ ବ୍ୟବସ୍ଥାର ପ୍ରୋତ୍ସାହନ ଏବଂ ପୁରୁଣା ଆବର୍ଜନାକୁ ବୈଜ୍ଞାନିକ ପଦ୍ଧତିରେ ନିଷ୍କାସନ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଦେଶର ଅଧାରୁ ଅଧିକ ପୁରୁଣା ଆବର୍ଜନାର ବୈଜ୍ଞାନିକ ନିଷ୍କାସନ ହୋଇସାରିଥିବା ଉଲ୍ଲେଖ କରିବା ସହ ଏହି ପ୍ରୟାସକୁ ଜାରି ରଖିବା ଏବଂ ନୂଆ ଆବର୍ଜନା ଜମା ହେବାକୁ ରୋକିବା ଆବଶ୍ୟକ ବୋଲି ସେ କହିଥିଲେ।
ଉଦ୍ଯାପନୀ ଅଧିବେଶନରେ ସ୍ୱାଗତ ଭାଷଣ ଦେଇ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ସହରାଞ୍ଚଳ ବିକାଶ ସଚିବ ସତେନ୍ଦ୍ର ସିଂହ ସାତଟି ବୈଷୟିକ ଅଧିବେଶନର ମୁଖ୍ୟ ନିଷ୍କର୍ଷ ଉପରେ ଆଲୋକପାତ କରିଥିଲେ। ନୀତିଗତ ଆଲୋଚନାକୁ କାର୍ଯ୍ୟକାରୀଯୋଗ୍ୟ ସହରାଞ୍ଚଳ ସମାଧାନରେ ପରିଣତ କରିବା ଉପରେ ସେ ଜୋର୍ ଦେଇଥିଲେ। ସେ କହିଥିଲେ, “କେବଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ନୁହେଁ, ବରଂ ସେବାର ଗୁଣବତ୍ତା ଆଧାରରେ ସଫଳତା ମପାଯିବା ଉଚିତ।” ଜନସେବାର ଉନ୍ନତି ପାଇଁ ଅନୁଷ୍ଠାନଗୁଡ଼ିକର କ୍ଷମତା ବୃଦ୍ଧି, ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟ, ପୌରସଂସ୍ଥାଗୁଡ଼ିକର ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଏବଂ ଉତ୍ତରଦାୟିତ୍ୱ ବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସହଯୋଗମୂଳକ ସଂଘୀୟ ବ୍ୟବସ୍ଥାର ଭାବନାକୁ ଦୋହରାଇ ସେ କହିଥିଲେ ଯେ, ସମ୍ମିଳନୀର ପରାମର୍ଶଗୁଡ଼ିକୁ କାର୍ଯ୍ୟକାରୀ କରିବା ଏବଂ ବିକଶିତ ଭାରତ-୨୦୪୭ର ଲକ୍ଷ୍ୟକୁ ଆଗେଇ ନେବା ପାଇଁ ମନ୍ତ୍ରଣାଳୟ ରାଜ୍ୟ, ସହର ଓ ସହଯୋଗୀ ଅନୁଷ୍ଠାନଗୁଡ଼ିକ ସହ ମିଶି କାମ କରିବ।
ଏହି ଅବସରରେ ନୀତି ଆୟୋଗର ସଦସ୍ୟ ରାଜୀବ ଗୌବା ଦେଶରେ ଦ୍ରୁତ ସହରୀକରଣକୁ ସଠିକ୍ ଭାବେ ପରିଚାଳନା କରିବା ପାଇଁ ସହରାଞ୍ଚଳ ଶାସନ, ନଗର ଯୋଜନା ଓ ପୌର ଆର୍ଥିକ ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆବଶ୍ୟକ ବୋଲି କହିଥିଲେ। ସେ କହିଥିଲେ, “ଆମେ ରାଜ୍ୟ ରାଜଧାନୀରୁ ସହରଗୁଡ଼ିକୁ ପରିଚାଳନା କରିପାରିବା ନାହିଁ। ଛୋଟ ସହରଗୁଡ଼ିକୁ ଅଧିକ କ୍ଷମତା ଦେବା ଆବଶ୍ୟକ।”ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ଅଧିକ କ୍ଷମତା ଓ ଆର୍ଥିକ ସ୍ୱାଧୀନତା ପ୍ରଦାନ, ସହର ନେତୃତ୍ୱକୁ ସଶକ୍ତ କରିବା ଏବଂ ପୌରସଂସ୍ଥାଗୁଡ଼ିକର ଉତ୍ତରଦାୟିତ୍ୱ ବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ନିଜସ୍ୱ ରାଜସ୍ୱ ଉତ୍ସକୁ ସୁଦୃଢ଼ କରିବା, ପାରମ୍ପରିକ ଜମି ବ୍ୟବହାର ଯୋଜନାରେ ସଂସ୍କାର ଆଣିବା, ଅଧିକ ଜନଘନତା ବିଶିଷ୍ଟ ଆବାସିକ କ୍ଷେତ୍ର, ମିଶ୍ରିତ ଜମି ବ୍ୟବହାର ଏବଂ ପରିବହନକୈନ୍ଦ୍ରିକ ବିକାଶକୁ ପ୍ରୋତ୍ସାହନ ଦେବା ଦ୍ୱାରା ଗୃହ ମୂଲ୍ୟକୁ ସୁଲଭ କରିବା ସହ ଆର୍ଥିକ ଉତ୍ପାଦକତା ବଢ଼ାଯାଇପାରିବ ବୋଲି ସେ ମତ ଦେଇଥିଲେ। ସହରାଞ୍ଚଳ ଆହ୍ୱାନ ପାଣ୍ଠି ଏବଂ ସହର ଆର୍ଥିକ ଅଞ୍ଚଳ ଭଳି ପଦକ୍ଷେପଗୁଡ଼ିକର ଉଲ୍ଲେଖ କରି ଶ୍ରୀ ଗୌବା ରାଜ୍ୟଗୁଡ଼ିକୁ ମୌଳିକ ସଂସ୍କାର ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ। ଜାତୀୟ ସହରାଞ୍ଚଳ ଅଭିଯାନ ଅଧୀନରେ ମିଳୁଥିବା ଅର୍ଥକୁ ଏହି ସଂସ୍କାରର କାର୍ଯ୍ୟକାରିତା ସହ ଯୋଡ଼ିବା ଦ୍ୱାରା ସହରଗୁଡ଼ିକୁ ଅଭିବୃଦ୍ଧିର ପ୍ରମୁଖ ଚାଳକ ଭାବେ ବିକଶିତ କରାଯାଇପାରିବ ଏବଂ ବିକଶିତ ଭାରତ-୨୦୪୭ର ସ୍ୱପ୍ନ ପୂରଣ ଦିଗରେ ଅଗ୍ରସର ହୋଇହେବ ବୋଲି ସେ କହିଥିଲେ।


