ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି, ପ୍ରଶମନ ଓ ଗ୍ରାମାଞ୍ଚଳରେ ସ୍ୱେଚ୍ଛାସେବୀ ବାହିନୀ ଗଠନ ଉପରେ ଫୋକସ୍
ଭୁବନେଶ୍ୱର: ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ ଅଧୀନରେ ଗଠିତ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି (ଏସଇସି) ର ୨୦୨୬–୨୭ ବର୍ଷର ପ୍ରଥମ ବୈଠକ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ରାଜସ୍ୱ ବିଭାଗ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ, ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲଙ୍କ ସମେତ କମିଟିର ସଦସ୍ୟ ଥିବା ସଂପୃକ୍ତ ବିଭିନ୍ନ ବିଭାଗର ସଚିବ ତଥା ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟ ପୁଲିସ୍ ମହା ନିର୍ଦ୍ଦେଶକ ଓ୍ୱାଇ.ବି.ଖୁରାନିଆ ଏବଂ ଅଗ୍ନିଶମ ସେବା ଡିଜି ଡା. ସୁଧାଂଶୁ ଷଡଙ୍ଗୀ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ।
ସ୍ୱତନ୍ତ୍ର ରିଲିଫ୍ କମିଶନର ତଥା ଓସଡମାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପାଟିଲ କମିଟି ନିକଟରେ ବିଭିନ୍ନ ପ୍ରସ୍ତାବ ଆଲୋଚନା ଓ ଅନୁମୋଦନ ନିମନ୍ତେ ଉପସ୍ଥାପନ କରିଥିଲେ। ରାଜ୍ୟ କାର୍ଯ୍ୟ ନିର୍ବାହୀ କମିଟି ରାଜ୍ୟର ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଯୋଜନା ଓ ନୀତି ପ୍ରଣୟନ, ପ୍ରାକ୍ ପ୍ରସ୍ତୁତି, ତଦାରଖ, ବିଭିନ୍ନ ବିଭାଗ ସହ ସମନ୍ୱୟ,ତ୍ୱରିତ ପ୍ରତିକ୍ରିୟା ବ୍ୟବସ୍ଥା, କ୍ଷତି ଆକଳନ ମୂଲ୍ୟାୟନ କରି ବିପର୍ଯ୍ୟୟ ପରିଚାଳନା ଯୋଜନା କାର୍ଯ୍ୟକାରିତାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।
ବୈଠକରେ ରାଜ୍ୟ ବିପର୍ଯ୍ୟୟ ବିପଦ ପରିଚାଳନା ପାଣ୍ଠି (ଏସଡିଆରଏମଏଫ)ର ସ୍ଥିତି ଅନୁଧ୍ୟାନ କରାଯାଇଥିଲା ।୨୦୨୬–୨୭ ବର୍ଷ ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି (ଏସଡିଆରଏଫ)ରେ ୧,୭୧୮ କୋଟି ଟଙ୍କା ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଏମଏଫ)ରେ ୪୨୯ କୋଟି ଟଙ୍କା ସହ ମୋଟ ୨,୧୪୭ କୋଟି ଟଙ୍କାର ବ୍ୟବସ୍ଥା ଥିବାବେଳେ ୨୦୨୬–୨୭ ରେ ଅଦ୍ୟାବଧି ୧୦୬୪.୪୮ କୋଟି ଟଙ୍କା ବ୍ୟୟ ହୋଇଛି। ବିଭିନ୍ନ ବର୍ଷରେ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ପାଇଁ ବିଭିନ୍ନ ବିଭାଗ ଏବଂ ଜିଲ୍ଲାମାନଙ୍କୁ ଦିଆଯାଇଥିବା ଆର୍ଥିକ ସହାୟତା ମଧ୍ୟରୁ ୯୨.୯୩ ପ୍ରତିଶତ ବିନିଯୋଗ ପ୍ରମାଣପତ୍ର ପ୍ରାପ୍ତ ହୋଇଛି।
ଆଗାମୀ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଭୁବନେଶ୍ୱର ମହାନଗର ନିଗମ ଏବଂ କଟକ ମହାନଗର ନିଗମ ଅଞ୍ଚଳରେ ଗ୍ରୀଷ୍ଣ ଋତୁରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହର ପ୍ରଭାବ ହ୍ରାସ ପାଇଁ ୧.୭୭ କୋଟି ଟଙ୍କାର ପ୍ରସ୍ତାବ ଉପରେ ବୈଠକରେ ଆଲୋଚନା କରାଯାଇ ଅନୁମୋଦନ କରାଯାଇଛି। ବିଏମସିରେ ବହୁମୁଖୀ ବିଶ୍ରାମସ୍ଥଳ, ବସ୍ଷ୍ଟପ୍ରେ ଭେଟିଭର କୁଲିଂ ମ୍ୟାଟ୍, ସାଲିଆ ସାହିରେ ରିଫ୍ଲେକ୍ଟିଭ୍ ରୁଫ୍ ପେଣ୍ଟିଂ, କଟକ ନେତାଜୀ ବସ୍ ଟର୍ମିନାଲ ପ୍ଲାଟଫର୍ମରେ ଭେଟିଭର ରୁଫ୍ ହ୍ୟାଙ୍ଗିଂ ଏବଂ ପାନୀୟ ଜଳ ସୁବିଧା ଭଳି ପ୍ରକଳ୍ପ ଏଥିରେ ସାମିଲ ରହିଛି।
ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମଏ)ଙ୍କ ପ୍ରସ୍ତାବ କ୍ରମେ ଭୁବନେଶ୍ୱର ସହରରେ ସହରାଞ୍ଚଳ ବନ୍ୟା ଓ ଜଳବନ୍ଦୀ ସମସ୍ୟାର ଦୀର୍ଘମିଆଦୀ ସମାଧାନ ପାଇଁ ୨୦୦ କୋଟିର (ଏନଡିଏମଏ) କେନ୍ଦ୍ରୀୟ ଅଂଶ ଏବଂ ରାଜ୍ୟ ଅଂଶ ବାବଦକୁ ୨୨.୨୦ କୋଟି ମିଶାଇ ମୋଟ ୨୨୨.୨୦ କୋଟି ପ୍ରସ୍ତାବକୁ ରାଜ୍ୟ କାର୍ଯ୍ୟ ନିର୍ବାହୀ କମିଟିରେ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯାଇ ସବିଶେଷ ଆଲୋଚନା ହୋଇଛି। ଏଥିରେ ଅତ୍ୟଧିକ ଝଡବର୍ଷା ବା ଲଗାଣବର୍ଷା ଜନିତ ଉଦବୃତ୍ତ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥାର ସୁଦୃଢ଼ୀକରଣ, ସମନ୍ୱିତ ହ୍ରଦ ପୁନରୁଦ୍ଧାର ଏବଂ ଆନ୍ତଃ ସଂଯୋଗୀକରଣ, ବର୍ଷାଜଳ ସଂରକ୍ଷଣ, ଜଳ ନିରାପତ୍ତା, ଆଗୁଆ ସତର୍କ ସୂଚନା ବ୍ୟବସ୍ଥା ଏବଂ ସହରାଞ୍ଚଳ ବନ୍ୟା ବିପଦ ଆକଳନ, ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଭଳି ପଦକ୍ଷେପ ଅନ୍ତର୍ଭୁକ୍ତ ରହିଛି।
ଏଥିସହିତ ଜଙ୍ଗଲ ନିଆଁ ବିପଦ ପ୍ରଶମନ ପାଇଁ ସଂଶୋଧିତ ପ୍ରସ୍ତାବ, ଓଡ୍ରାଫ୍ ଓ ଅଗ୍ନିଶମ ସେବାର ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ୀକରଣ, ଅଗ୍ନି ନିରାପତ୍ତା ପ୍ରଶିକ୍ଷଣ, ଓସ୍ଡମାର ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ସୂଚନା ପ୍ରଯୁକ୍ତି ଭିତ୍ତିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଓଡ଼ିଶା ଅଗ୍ମିଶମ ଏବଂ ଜରୁରୀକାଳୀନ ସେବାକୁ ସୁଦୃଢ କରିବା ପାଇଁ ସୂଚନା ସରବରାହ ବ୍ୟବସ୍ଥାରେ ଅଧିକ ଉନ୍ନତି ଆଣିବା ନିମନ୍ତେ ଆବଶ୍ୟକୀୟ ଏଚ୍ଏଫ୍, ଭିଏଚ୍ଏଫ୍ ବେସ୍ ସେଟ୍, ଭିଏଚ୍ଏଫ୍ ମୋବାଇଲ ସେଟ୍, ଭିସାଟ୍ ସେଟ୍ , ସାଟେଲାଇଟ୍ ଫୋନ୍ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି।
ରାଜ୍ୟରେ ବନ୍ୟା-ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ରହିଥିବା ବେଳେ ବିପର୍ଯ୍ୟୟ ପରିଚାଳନାକୁ ତୃଣମୂଳ ସ୍ତରରେ ଅଧିକ ସୁଦୃଢ଼ କରିବା ପାଇଁ ରାଜ୍ୟର ୩,୦୦୦ ଅଣ-ବାତ୍ୟା ଆଶ୍ରୟସ୍ଥଳୀ ଗ୍ରାମରେ ଗ୍ରାମସ୍ତରୀୟ ଟାସ୍କଫୋର୍ସ ସ୍ୱେଚ୍ଛାସେବୀ ବାହିନୀ ଗଠନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଛି। ପ୍ରାରମ୍ଭିକ ସତର୍କ ସୂଚନା ପ୍ରସାର, ସନ୍ଧାନ ଓ ଉଦ୍ଧାର, ପ୍ରାଥମିକ ଚିକିତ୍ସା, ଆଶ୍ରୟସ୍ଥଳୀ ପରିଚାଳନା, ଜଳ ଓ ପରିମଳ ବ୍ୟବସ୍ଥା, ରିଲିଫ୍ ପରିଚାଳନା ଏବଂ ମାନସିକ-ସାମାଜିକ ସହାୟତା ପାଇଁ ଏହି ସ୍ୱେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷିତ କରାଯିବ। ପ୍ରଶିକ୍ଷଣ ସମେତ ଏ ସଂପର୍କରେ ନିଆଯିବାକୁ ଥିବା ସମସ୍ତ କାର୍ଯ୍ୟକ୍ରମ ଯେପରି ପ୍ରଭାବୀ ଓ ଫଳପ୍ରଦ ହେବ, ଏହାର ତଦାରଖ ବ୍ୟବସ୍ଥା ସୁବ୍ୟବସ୍ଥିତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟରେ ସାପକାମୁଡ଼ା ଜନିତ ମୃତ୍ୟୁ ଏବଂ ବଜ୍ରପାତ ଜନିତ ଜୀବନହାନି ହ୍ରାସ ପାଇଁ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଗଣମାଧ୍ୟମରେ ପ୍ରଚାର, ପୁସ୍ତିକା ଓ ପୋଷ୍ଟର, ଗ୍ରାମସ୍ତରୀୟ ପଥପ୍ରାନ୍ତ ନାଟକ, ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ, ଆଶା ଓ ଅଙ୍ଗନବାଡ଼ି କର୍ମୀ, କୃଷକ ଏବଂ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକୁ ସାମିଲ କରି ରାଜ୍ୟବ୍ୟାପୀ ସଚେତନତା ଅଭିଯାନକୁ ବ୍ୟାପକ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ବିପର୍ଯ୍ୟୟ ପରିଚାଳନାକୁ ଅଧିକ ପ୍ରଯୁକ୍ତିଭିତ୍ତିକ, ତ୍ୱରିତ ଓ ପ୍ରଭାବଶାଳୀ କରିବା ଲକ୍ଷ୍ୟରେ ଓସ୍ଡମା ପକ୍ଷରୁ ବିଭିନ୍ନ ସୂଚନା ପ୍ରଯୁକ୍ତି ଭିତ୍ତିକ ବ୍ୟବସ୍ଥାର ବିକାଶ ଓ ସୁଦୃଢ଼ୀକରଣ, ବିପର୍ଯ୍ୟୟ ସମ୍ପର୍କିତ ତଥ୍ୟ ପରିଚାଳନା ଏବଂ ସମନ୍ୱୟ ବ୍ୟବସ୍ଥାକୁ ସୁଦୃଢ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗ ଓ ଜିଲ୍ଲା ସ୍ତରରେ ଅନୁମୋଦିତ ପ୍ରକଳ୍ପଗୁଡ଼ିକର ସମୟୋଚିତ ଓ ଗୁଣାତ୍ମକ କାର୍ଯ୍ୟାନ୍ୱୟନ, ନିୟମିତ ତଦାରଖ ଏବଂ ପାଣ୍ଠିର ସ୍ୱଚ୍ଛ ଓ ଫଳପ୍ରଦ ବିନିଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ। ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ସୁନାମ ବଜାୟ ରଖିବା ସହ ଏକ ସୁରକ୍ଷିତ, ସଚେତନ ଓ ବିପର୍ଯ୍ୟୟ ସହନଶୀଳ ଓଡ଼ିଶା ଗଠନ ଦିଗରେ ସମସ୍ତେ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।


