ମହିଳା ସୁବାହକ ଭାନୁପ୍ରିୟା ବେହେରାଙ୍କୁ କାର୍ ଚାବି ହସ୍ତାନ୍ତର

ଭୁବନେଶ୍ୱର: ଓଡ଼ିଶାର ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ସହ ପରିବହନ କ୍ଷେତ୍ରରେ ସେମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ‘ଆତ୍ମନିର୍ଭର ମହିଳା ସୁବାହକ’ (ଆମ ସୁବାହକ) ଯୋଜନା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଖାରବେଳ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଆଉ ଜଣେ ହିତାଧିକାରୀ ଭାନୁପ୍ରିୟା ବେହେରାଙ୍କୁ ନୂତନ ଗାଡ଼ିର ଚାବି ହସ୍ତାନ୍ତର କରାଯାଇଛି। ଭାନୁପ୍ରିୟା ୨୦୧୯ରେ ଛତିଆ ସ୍ଥିତ ‘ଯାନ ଚାଳନା ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ’(IDTR)ରୁ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ତାଙ୍କୁ ମିଶାଇ ସମୁଦାୟ ୭ ଜଣ ମହିଳା ଗାଡ଼ି ଚାଳକ ଏହି ଯୋଜନାରେ ସାମିଲ ହୋଇ କାର୍ ମାଲିକ ହୋଇପାରିଛନ୍ତି।

ମହିଳା ଚାଳକମାନଙ୍କ ରୋଜଗାର ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ଯୋଜନାରେ ବ୍ୟାଙ୍କ ସହ ସମନ୍ୱୟ ରଖି ସେମାନଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ପ୍ରଦାନ କରାଯାଉଛି। ଏଥିରେ ଗାଡ଼ିର ଏକ୍ସ-ସୋ’ରୁମ୍ ମୂଲ୍ୟର ୧୦ ପ୍ରତିଶତ ଡାଉନ୍ ପେମେଣ୍ଟ ଭାବେ ମଧ୍ୟ ରାଜ୍ୟ ସରକାର ବହନ କରୁଛନ୍ତି। ସରକାର ଗ୍ୟାରେଣ୍ଟର ରହି ଗାଡ଼ିର କ୍ରେଡିଟ୍ ଗ୍ୟାରେଣ୍ଟି ଚାର୍ଜ ଏବଂ ସମସ୍ତ ସୁଧ ଖର୍ଚ୍ଚ ବହନ କରୁଛନ୍ତି। ଆଗାମୀ ୪ ବର୍ଷ ମଧ୍ୟରେ ରାଜ୍ୟରେ ୧,୧୦୦ ‘ଆତ୍ମନିର୍ଭର ମହିଳା ସୁବାହକ’ ସୃଷ୍ଟି କରିବା ପାଇଁ ସରକାର ୪୬.୬୬ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହି ଯୋଜନାରେ OSRTC, CRUT ର ମହିଳା ଚାଳକ, ସ୍ୱୟଂ ସହାୟିକା ଗୋଷ୍ଠୀ (SHG) ସଦସ୍ୟା ଏବଂ ‘ସୁଭଦ୍ରା’ ଯୋଜନାର ହିତାଧିକାରୀଙ୍କୁ ପ୍ରାଥମିକତା ଦିଆଯାଉଛି।

ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଏନ.ବି.ଏସ. ରାଜପୁତ ଏବଂ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଭାନୁପ୍ରିୟା ବେହେରାଙ୍କୁ ଗାଡ଼ି ଚାବି ପ୍ରଦାନ କରିବା ସହ ପରିବହନ କ୍ଷେତ୍ରରେ ତାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ଉତ୍ସାହିତ କରିଥିଲେ।

Leave a Reply

Your email address will not be published. Required fields are marked *