ରାଜ୍ୟରେ ଉପଗ୍ରହ ଉତ୍‌କ୍ଷେପଣ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବ

ଭୁବନେଶ୍ୱର : ରାଜ୍ୟରେ ବୈଜ୍ଞାନିକ ଗବେଷଣା ଓ ଏ ସଂକ୍ରାନ୍ତୀୟ ବିଭିନ୍ନ ପ୍ରକଳ୍ପ ଉପରେ ରାଜ୍ୟ ସରକାର ଯଥେଷ୍ଟ ଧ୍ୟାନ ଦେବା ସହ ଯୁବ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନଭିତ୍ତିକ ଅନିସନ୍ଧିଚ୍ଛୁ ଜାଗ୍ରତ କରିବା ଉପରେ କାର୍ଯ୍ୟ କରୁଛନ୍ତି। ରାଜ୍ୟରୁ ଉତ୍ପାଦିତ ବିଭିନ୍ନ ସାମଗ୍ରୀ ଦେଶର ହିତରେ ଯେଭଳି ଲାଗିବ, ସେଥି ପ୍ରତି ସରକାର ଯତ୍ନବାନ ଅଛନ୍ତି ବୋଲି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ରରେ ଆୟୋଜିତ ଜାତୀୟ ମହାକାଶ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ଓର୍‌ସାକ୍‌ ଦ୍ୱାରା ରାଜ୍ୟରେ ଚାଷଜମିଠାରୁ ଆରମ୍ଭ କରି ଭୂତଳ ଜଳ ଓ ଖଣିଜ ସମ୍ପଦର ଭଣ୍ଡାର ଓ ଏହାର ପରିମାଣ ସମ୍ପର୍କରେ ବିଭିନ୍ନ ତଥ୍ୟ ହାସଲ କରାଯାଇ ପାରୁଛି। ଆବଶ୍ୟକ ସ୍ଥଳେ ଅନେକ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ରାଜସ୍ୱ ସଞ୍ଚୟ କରାଯାଇ ପାରୁଛି। ଖାଲି ସେତିକି ନୁହେଁ, ରାଜ୍ୟର ଷ୍ଟାର୍ଟଅପ୍‌ରୁ ଉତ୍ପାଦିତ ଡ୍ରୋନ୍‌ ଭଳି ବିଭିନ୍ନ ଉପକରଣ ଦେଶର ପ୍ରତିରକ୍ଷା ବ୍ୟବସ୍ଥାରେ ବ୍ୟବହାର ହେଉଥିବା ଅତ୍ୟନ୍ତ ଆନନ୍ଦର ବିଷୟ। ରାଜ୍ୟର ବୈଜ୍ଞାନିକମାନେ ଭବିଷ୍ୟତରେ ଏ କ୍ଷେତ୍ରରେ କାର୍ଯ୍ୟ କରି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଦେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ରାଜ୍ୟରେ ଏକ ବିଜ୍ଞାନ ଭବନ ଓ ଓରସାକର ନୂତନ କୋଠା ନିର୍ମାଣ ସହ ଜିଆଇଏସ ଲ୍ୟାବ ପ୍ରତିଷ୍ଠା ହେବା ନେଇ ଶ୍ରୀ ପାତ୍ର କହିଥିଲେ। ରାଜ୍ୟରେ ଉପଗ୍ରହ ଉତ୍‌କ୍ଷେପଣ କେନ୍ଦ୍ର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ସହ ପ୍ରାରମ୍ଭିକ ଆଲୋଚନା ହୋଇଥିବା ନେଇ ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ନିକଟରେ ଦିଲ୍ଲୀ ଗସ୍ତ ସମୟରେ ଏନେଇ ଆଲୋଚନା ହୋଇଥିବା ସେ କହିଛନ୍ତି।

ଏହି ଅବସରରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଅରୁମୁଗମ୍‌ ଯୋଗଦେଇ କହିଲେ ଯେ ବିଜ୍ଞାନ କ୍ଷେତ୍ରରେ ଓଡ଼ିଶା ଅନେକ ଅଗ୍ରଗତି ହାସଲ କରିଛି। କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼, ଗଞ୍ଜାମ, ବଲାଙ୍ଗିର ଓ ରାଉରକେଲାରେ ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିୟମ୍‌ ପ୍ରତିଷ୍ଠା କରାଯାଇଛି। ଛାତ୍ରଛାତ୍ରୀମାନେ ଏସବୁ କେନ୍ଦ୍ର ବୁଲି ମହାକାଶ ଓ ଗ୍ରହନକ୍ଷତ୍ର ସଂପର୍କରେ ଅଧିକ ଜାଣିବାକୁ ଆବଶ୍ୟକତା ରହିଛି। ଛାତ୍ରଛାତ୍ରୀମାନେ ପ୍ରତ୍ୟେକ ବିଷୟବସ୍ତୁ ଉପରେ ଜିଜ୍ଞାସା ରଖିବା ଉଚିତ ବୋଲି ସେ କହିଥିଲେ। ମୁଖ୍ୟବକ୍ତା ଭାବେ ଯୋଗଦେଇ ସିଏସ୍‌ଆଇଆର୍‌ର ପ୍ରଫେସର ଶିଶିର ପଣ୍ଡା ନିଜର ଲକ୍ଷ୍ୟ ହାସଲ ପାଇଁ ଚେଷ୍ଟିତ ରହିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ନିଜର ଅଭିଜ୍ଞତା ସମ୍ପର୍କରେ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କ ସହ ଭାବିବିନିମୟ କରିଥିଲେ।

ସେହିଭଳି ଓର୍‌ସାକ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ରଶ୍ମିତା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରି ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ରର କାର୍ଯ୍ୟକାରିତା ଉପରେ ବକ୍ତବ୍ୟ ରଖିଥିଲେ। ଭୂତଳ ଜଳ ସୁରକ୍ଷା ସଂପର୍କିତ ଆଟ୍‌ଲାସ୍‌, ନିରନ୍ତର ବିକାଶ ଲକ୍ଷ୍ୟ ଓ ଓର୍‌ସାକ୍‌ ଶିକ୍ଷାନବିଶ ପୋର୍ଟାଲ ଏବଂ ଓରସାକ ପ୍ରକଳ୍ପ ପୁସ୍ତିକା ଉନ୍ମୋଚିତ ହୋଇଥିଲା। ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯିବା ସହ ବିଭିନ୍ନ ଷ୍ଟାର୍ଟଅପ୍‌ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, ଶିକ୍ଷାବିତ୍‌ ଓ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *