‘ସଙ୍ଗୀତ ଆମ ସଂସ୍କୃତି ସହ ଅଙ୍ଗାଙ୍ଗୀଭାବେ ଜଡ଼ିତ’

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ବିଶ୍ୱ ସଙ୍ଗୀତ ଦିବସ ପାଳିତ ହୋଇଯାଇଛି। ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ହୋଇଥିବା ସାଂସ୍କୃତିକ ସନ୍ଧ୍ୟାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଦେବପ୍ରସାଦ ଦାଶ, ଅର୍ଥ ପରାମର୍ଶ ଦାତା ଡ଼. ପ୍ରମୋଦ ମଣ୍ଡଳ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ବଦ୍ରୀ ମିଶ୍ର, ଗୁରୁ ଧନେଶ୍ୱର ସ୍ୱାଇଁ, ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ ଗୁରୁ ରାମହରି ଦାସ, ବିଶିଷ୍ଟ ସଙ୍ଗୀତଜ୍ଞ ଗୁରୁ ଲକ୍ଷ୍ମୀକାନ୍ତ ପାଲିତ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ବିଶ୍ୱ ସଙ୍ଗୀତ ଦିବସ ଉପଲକ୍ଷେ ସମସ୍ତ କଣ୍ଠଶିଳ୍ପୀ ଓ ଶ୍ରୋତାବୃନ୍ଦଙ୍କୁ ଅତିଥିମାନେ ଅଭିନନ୍ଦନ ଜଣାଇଥିଲେ। ସଙ୍ଗୀତ ଆମ ସଂସ୍କୃତି ସହ ଅଙ୍ଗାଙ୍ଗୀଭାବେ ଜଡ଼ିତ। ସଙ୍ଗୀତ କେବଳ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଆମ ଭାବନାକୁ ପରିପ୍ରକାଶ କରିବା ପାଇଁ ଏହା ହେଉଛି ଏକ ସଶକ୍ତ ମାଧ୍ୟମ। ସଙ୍ଗୀତ ଆମ ସମାଜକୁ ଏକ ସୂତ୍ରରେ ବାନ୍ଧି ରଖେ ବୋଲି ଅତିଥିମାନେ କହିଥିଲେ। ଏଥିସହ ଶାସ୍ତ୍ରୀୟ ସଙ୍ଗୀତ, ଲୋକ ସଙ୍ଗୀତ ଆଦିର ବହୁଳ ପ୍ରଚାର ଓ ପ୍ରସାର ଦିଗରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ।

ସାଂସ୍କୃତିକ ସନ୍ଧ୍ୟାରେ ହିମାଂଶୁ ଶେଖର ସ୍ୱାଇଁ ଓ ମାତୃ ପ୍ରସାଦ ଦାସ ଓଡ଼ିଶୀ କଣ୍ଠ ସଙ୍ଗୀତ, ସନ୍ଦିପ କୁମାର ରାଉତ ସରୋଦ ବାଦନ, ପ୍ରଜ୍ଞା ମିଶ୍ର ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ, ରବିରତନ ସାହୁ ଓ ସାଥି ଆଦି ଧୂନ୍‌, ଦୃଷ୍ଟିବାଧିତ କଳାକାର ଭୀମସେନ ମହାରଣା ସୀତାର ବାଦନ, ସୌମ୍ୟଜିତ୍‌ ସୌମିତ୍ରି ବଡ଼ପଣ୍ଡା ଲୋକ ସଙ୍ଗୀତ ପରିବେଷଣ କରିଥିଲେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ଼. ଚନ୍ଦ୍ରଶେଖର ହୋତା ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *