ସ୍ଵଚ୍ଛ ଏବଂ ଦୁର୍ନୀତିମୁକ୍ତ ହେବ ରାଜ୍ୟର ସମସ୍ତ ପଞ୍ଜୀକରଣ କାର୍ଯ୍ୟାଳୟ
ଭୁବନେଶ୍ୱର: ଲୋକସେବା ଭବନଠାରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ପଞ୍ଜୀକରଣ କାର୍ଯ୍ୟାଳୟମାନଙ୍କରେ ସମ୍ପୂର୍ଣ୍ଣ କ୍ୟାସଲେସ୍ ପଞ୍ଜୀକରଣ ବ୍ୟବସ୍ଥାର ପ୍ରଚଳନ ନିମନ୍ତେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିl ଜମିଜମା ପଞ୍ଜୀକରଣ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ସ୍ଵଚ୍ଛ ଏବଂ ଦୁର୍ନୀତିମୁକ୍ତ କରିବା ନିମନ୍ତେ ସମ୍ପୂର୍ଣ୍ଣ ପେପରଲେସ୍ ଏବଂ କ୍ୟାସଲେସ୍ ବ୍ୟବସ୍ଥା ଉପରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ଗୁରୁତ୍ବାରୋପ କରିଛନ୍ତି l
ବୈଠକର ଆଲୋଚନା ଅନୁଯାୟୀ, ଏଣିକି ଜମିଜମା କିଣାବିକା ନିମନ୍ତେ ଉଭୟ କ୍ରେତା ଏବଂ ବିକ୍ରେତା ସହମତ ହେଲେ ସେମାନଙ୍କୁ ନିବନ୍ଧନ କାର୍ଯ୍ୟାଳୟକୁ ଯାଇ ଆବେଦନ କରିବାକୁ ପଡିବନିl ବାରମ୍ଵାର ଦପ୍ତର ନ ଯାଇ ପୂର୍ବରୁ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବା ସହ କେବଳ ଦଲିଲ୍ ପଞ୍ଜୀକରଣ ସମୟରେ ଆନୁସଙ୍ଗିକ ଚିହ୍ନଟ ପ୍ରକ୍ରିୟା ନିମନ୍ତେ ଉପସ୍ଥିତ ରହିବାକୁ ହେବl ଏଥିସହିତ ପୂର୍ବରୁ ପ୍ରଚଳିତ ୧୫,୦୦୦/- ଟଙ୍କା ପର୍ଯ୍ୟନ୍ତ ନଗଦ ଅର୍ଥ ଦେବାର ବ୍ୟବସ୍ଥାର ଉଚ୍ଛେଦ ସହ ସମ୍ପୂର୍ଣ୍ଣ ରୂପେ ପଞ୍ଜୀକରଣ ନିମନ୍ତେ ଆବଶ୍ୟକୀୟ ଅର୍ଥରାଶି ଅନଲାଇନ୍ ପୈଠ କରାଯିବା ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଛିl
ଅତ୍ୟଧିକ କାଗଜପତ୍ର ବ୍ୟବହାର ଦ୍ଵାରା ପଞ୍ଜୀକରଣ ପ୍ରକ୍ରିୟାରେ ଅନାବଶ୍ୟକ ବିଳମ୍ବ ଏବଂ ଦୁର୍ନୀତିର ସମ୍ଭାବନା ଥିବାରୁ ପଞ୍ଜୀକରଣ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ପେପରଲେସ୍ ବା କାଗଜପତ୍ରମୁକ୍ତ କରିବା ଉପରେ ଗୁରୁତ୍ଵ ଦେଇ ଅନଲାଇନ୍ ଆବେଦନ ପ୍ରକ୍ରିୟା ସମ୍ପର୍କରେ ସୁବିସ୍ତୃତ ସମୀକ୍ଷା କରାଯାଇଥିଲାl ଅନଲାଇନ୍ ଆବେଦନ ସମୟରେ କ୍ରେତା ଏବଂ ବିକ୍ରେତାଙ୍କ ପରିଚୟ,ପ୍ଳଟ ନମ୍ଵର୍, EC ଇତ୍ୟାଦି ସମସ୍ତ ଆବଶ୍ୟକୀୟ ନଥିପତ୍ର ସମ୍ପର୍କରେ ଅବଗତ କରାଯିବା ସହ ସ୍ଵଚ୍ଛ ପଞ୍ଜୀକରଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ନିମନ୍ତେ ସେସବୁର ଯାଞ୍ଚ ସମ୍ପୃକ୍ତ ସ୍ଥାନର ପଞ୍ଜୀକରଣ କାର୍ଯ୍ୟାଳୟରେ ନ ହୋଇ ରାଜ୍ୟର ଅନ୍ୟ କେଉଁ ବି ପଞ୍ଜୀକରଣ କାର୍ଯ୍ୟାଳୟରେ କରିବା ପାଇଁ ଆଲୋଚନା ହୋଇଥିଲାl ସେହିପରି କେବଳ ପଞ୍ଜୀକୃତ ଦଲିଲ୍ ଲେଖୁଥିବା ଓକିଲଙ୍କ ଦ୍ଵାରା ହିଁ ଦଲିଲ୍ ପଞ୍ଜୀକରଣ କରାଯିବା ସହ ସେ ସମ୍ପର୍କରେ ଆବେଦନପତ୍ରରେ ପୂର୍ବସୂଚୀତ ହେବା ନିମନ୍ତେ ବ୍ୟବସ୍ଥା କରିବା ନିମନ୍ତେ ନିଷ୍ପତ୍ତି ହୋଇଥିଲାl ଦଲିଲ୍ ପଞ୍ଜୀକରଣ ନିମନ୍ତେ ଓକିଲ, ଷ୍ଟାମ୍ପ୍ ଭେଣ୍ଡର୍ ଏବଂ ଡିଡ୍ ରାଇଟର୍ ପୂର୍ବରୁ ରେଜିଷ୍ଟ୍ରିଭୁକ୍ତ ହୋଇଥିବା ଆବଶ୍ୟକl ଏହି ସମ୍ପୂର୍ଣ୍ଣ ପଞ୍ଜୀକରଣ ବ୍ଯବସ୍ଥା ସମ୍ପର୍କରେ ଖୁବ୍ ଶୀଘ୍ର ରାଜସ୍ୱ ବିଭାଗ ପକ୍ଷରୁ ନୂତନ ଏସଓପି ଜାରି କରିବା ନିମନ୍ତେ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, ନିବନ୍ଧନ ମହାନିରୀକ୍ଷକ ପି. ଅନ୍ୱେଷା ରେଡ୍ଡୀ, ରାଜସ୍ୱ ବିଭାଗ, NIC ଏବଂ ଓକାକ୍ ର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେl


