ସ୍ଵତନ୍ତ୍ର ରିଲିଫ କମିଶନର,  ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ନିର୍ଦ୍ଦେଶାବଳୀର କଡ଼ା ଅନୁପାଳନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା କିଛି ଦିନରେ ସମ୍ଭାବ୍ୟ ପ୍ରବଳ ବର୍ଷାର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ବନ୍ୟା, ଜଳବନ୍ଦୀ ଓ ବର୍ଷାଜନିତ ଅନ୍ୟାନ୍ୟ ସମସ୍ୟାର ମୁକାବିଲା ପାଇଁ ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଗୁଡିକୁ ସମ୍ପୂର୍ଣ୍ଣ ସତର୍କ ରହିବା ସହ ଆଗୁଆ ପ୍ରସ୍ତୁତି ନେବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ ଦେଇଛି। ବିଶେଷକରି ଦକ୍ଷିଣ ଜିଲ୍ଲାଗୁଡ଼ିକର  ୟୁ ଏଲ୍ ବି ମାନଙ୍କୁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖିବା ସହ ନାଗରିକଙ୍କ ସୁରକ୍ଷା ଏବଂ ସାଧାରଣ ଜୀବନଯାପନ ଉପରେ ବର୍ଷାଜନିତ ବାଧାକୁ ସର୍ବନିମ୍ନ ରଖିବା ପାଇଁ ଆବଶ୍ୟକ ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ କୁହାଯାଇଛି।

ସମସ୍ତ ମହାନଗର ନିଗମ କମିଶନର ଓ ପୌର ନିର୍ବାହୀ ଅଧିକାରୀଙ୍କୁ ଆବଶ୍ୟକତା ଅନୁଯାୟୀ ତୁରନ୍ତ ନିୟୋଜନ ପାଇଁ ରାପିଡ୍‌ ଆକ୍ସନ୍‌ ଟିମ୍‌ଗୁଡ଼ିକୁ ସଜାଗ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚିହ୍ନଟ ହୋଇଥିବା ତଳିଆ ଓ ଜଳବନ୍ଦୀପ୍ରବଣ ଅଞ୍ଚଳରେ ଆଗୁଆ ପ୍ରତିଷେଧମୂଳକ ବ୍ୟବସ୍ଥା ନେବା ସହ ସେସବୁ ସ୍ଥାନ ଉପରେ ନିରନ୍ତର ନଜର ରଖିବାକୁ କୁହାଯାଇଛି। ଆବଶ୍ୟକ ସମୟରେ ବ୍ୟବହାର ପାଇଁ MPCS ଓ ଅନ୍ୟାନ୍ୟ ଅସ୍ଥାୟୀ ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖିବା ସହ ବିପଦପ୍ରବଣ ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସମୟୋପଯୋଗୀ ଭାବେ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।

ଜଳବନ୍ଦୀ ଓ ବନ୍ୟା ପରିସ୍ଥିତିରେ ତୁରନ୍ତ ମୁକାବିଲା ପାଇଁ ଡି-ୱାଟରିଂ ପମ୍ପ, ଆବଶ୍ୟକ ଯନ୍ତ୍ରପାତି ଓ ଅନ୍ୟାନ୍ୟ ସରଞ୍ଜାମ ସହ ପର୍ଯ୍ୟାପ୍ତ ମାନବ ସମ୍ବଳକୁ ତୟାର ରଖିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି। କ୍ଷେତ୍ରସ୍ତରରେ ପ୍ରସ୍ତୁତି, ସମ୍ପୃକ୍ତ ଟିମ୍‌ଗୁଡ଼ିକ ମଧ୍ୟରେ ପ୍ରଭାବୀ ସମନ୍ୱୟ ଏବଂ ଆବଶ୍ୟକ ସମ୍ବଳର ତୁରନ୍ତ ନିୟୋଜନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି, ଯାହାଦ୍ୱାରା ଆବଶ୍ୟକତା ଦେଖାଦେଲେ ତୁରନ୍ତ ହସ୍ତକ୍ଷେପ କରାଯାଇପାରିବ।

ସମସ୍ତ ପୌରାଞ୍ଚଳକୁ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଅର ଓ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ଅନୁପାଳନ କରିବାକୁ କୁହାଯାଇଛି। ଏଥିସହ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ସହ ଘନିଷ୍ଠ ସମନ୍ୱୟ ରଖିବା ସହ ଯେକୌଣସି ଆକସ୍ମିକ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ନେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *