ସ୍ୱତନ୍ତ୍ର ସଘନ ସଂଶୋଧନ ବା ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ ତ୍ରୁଟିଶୂନ୍ୟ କରିବା ଲକ୍ଷ୍ୟରେ ଆଲୋଚନା ଚକ୍ର

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ଏସ. ଗୋପାଳନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ ବା ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (ଏସ ଆଇ ଆର) ପ୍ରକ୍ରିୟାକୁ ସୁଚାରୁରୂପେ ପରିଚାଳନା କରିବା ଏବଂ ଭୋଟର ତାଲିକାକୁ ଅଧିକ ସ୍ୱଚ୍ଛ ତଥା ତ୍ରୁଟିଶୂନ୍ୟ କରିବା ଲକ୍ଷ୍ୟରେ ଏହି ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା। ଏଥିରେ ରାଜ୍ୟର ସମସ୍ତ ୭ଟି ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ବରିଷ୍ଠ ପ୍ରତିନିଧିମାନେ ଯୋଗ ଦେଇଥିଲେ ।

ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଳନ ଏସ.ଆଇ.ଆର. ପ୍ରକ୍ରିୟାର ବିଭିନ୍ନ ବୈଷୟିକ ଓ ପ୍ରଶାସନିକ ଦିଗ ଉପରେ ଆଲୋକପାତ କରିଥିଲେ। ଏକ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୋଗ୍ୟ ଭୋଟରଙ୍କ ନାମ ସାମିଲ କରିବା ଏବଂ ସାମଗ୍ରିକ ଭୋଟର ତାଲିକାର ଶୁଦ୍ଧତା ବଜାୟ ରଖିବାରେ ରାଜନୈତିକ ଦଳଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ପ୍ରକାଶ କରିଥିଲେ। ଏଥିସହିତ ପ୍ରତିଟି ମତଦାତା କେନ୍ଦ୍ର ଗୁଡିକରେ ବୁଥ୍ ସ୍ତରୀୟ ଏଜେଣ୍ଟ (ବିଏଲଏ) ନିଯୁକ୍ତି କରି ପ୍ରକ୍ରିୟାକୁ ଅଧିକ ସହଯୋଗୀ କରିବାକୁ ସେ ଦଳଗୁଡ଼ିକୁ ପରାମର୍ଶ ଦେଇଥିଲେ।

ଆଲୋଚନା ସମୟରେ ଉପସ୍ଥିତ ରାଜନୈତିକ ଦଳର ପ୍ରତିନିଧିମାନେ ଏସ.ଆଇ.ଆର. କାର୍ଯ୍ୟକ୍ରମକୁ ନେଇ ନିଜ ନିଜର ମତାମତ ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ନୂତନ ଭୋଟରଙ୍କ ପଞ୍ଜୀକରଣ, ପ୍ରବାସୀ ଭୋଟରଙ୍କ ସମସ୍ୟା ଏବଂ ତାଲିକାରୁ ମୃତ ଓ ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ୍ ଦେବା ଭଳି ପ୍ରସଙ୍ଗରେ ଦଳଗୁଡ଼ିକ ପକ୍ଷରୁ ଗଠନମୂଳକ ଆଲୋଚନା କରାଯାଇଥିଲା।

ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ପ୍ରତିନିଧିଙ୍କ ପ୍ରସ୍ତାବକୁ ସନ୍ତୋଷଜନକ ଭାବେ ଗ୍ରହଣ କରିବା ସହ ଆଗାମୀ ଦିନରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆର ଏସ ଗୋପଲନ ଙ୍କ ସମେତ ଅତିରିକ୍ତ ସିଇଓ  ସୁଶାନ୍ତ କୁମାର ମିଶ୍ର, ଯୁଗ୍ମ ସିଇଓ ଗୋପୀନାଥ କୁଅଁର, ଡେ଼ପୁଟି ସିଇଓ ଡ.ଲଷ୍ମୀପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *