ହସ୍ତଶିଳ୍ପ ଓ ହସ୍ତତନ୍ତ ଆମ ଉତ୍କର୍ଷ କଳାର ଉଜ୍ଜ୍ଵଳ ସ୍ଵାକ୍ଷର : ମନ୍ତ୍ରୀ
ଭୁବନେଶ୍ଵର: ହସ୍ତଶିଳ୍ପ ଓ ହସ୍ତତନ୍ତ ଆମ ଉତ୍କର୍ଷ କଳାର ଉଜ୍ଜ୍ଵଳ ସ୍ଵାକ୍ଷର। ଏହି ପାରମ୍ପରିକ କଳାର ସରଂକ୍ଷଣ ସହ ହଜାର ହଜାର କାରିଗରଙ୍କୁ ଜୀବିକା ଯୋଗାଇବାରେ ଉତ୍କଳିକା ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ମତ ପ୍ରକାଶ କରିଛନ୍ତି। ସ୍ଥାନୀୟ ଉତ୍କଳିକାର ମୁଖ୍ୟ କାର୍ଯ୍ୟାଳୟଠାରେ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ (ଉତ୍କଳିକା)ର ୬୮ ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇ ସେ କହିଛନ୍ତି, ମହିଳା ସଶକ୍ତୀକରଣ ଓ ଗ୍ରାମୀଣ ଅର୍ଥନୀତିକୁ ସଶକ୍ତ କରିବାରେ ଏହି କ୍ଷେତ୍ର ଗୁରୁ ଦାୟିତ୍ଵ ବହନ କରିଛି ।
ଉତ୍କଳିକାର ଆଧୁନିକ ବ୍ୟବସାୟିକ କାର୍ଯ୍ୟପଦ୍ଧତିକୁ ଅଧିକ ସୁଦୃଢ ଓ କାର୍ଯ୍ୟକ୍ଷମ କରିବା ନିମନ୍ତେ ମନ୍ତ୍ରୀ ଶ୍ରୀ ବଳ ସାମନ୍ତ ଇଆରପି (ଏଣ୍ଟରପ୍ରାଇଜ୍ ରିସୋର୍ସ ପ୍ଲାନିଙ୍ଗ) ବ୍ୟବସ୍ଥାର ଶୁଭାରମ୍ଭ କରିବା ସହିତ ଏହାର ସୂଚନା ପୁସ୍ତକ ଉନ୍ମୋଚନ କରିଛନ୍ତି। ଏହି ବ୍ୟବସ୍ଥା ମାଧ୍ୟମରେ ଉତ୍କଳିକାର କାର୍ଯ୍ୟପ୍ରଣାଳୀରେ ସ୍ଵଚ୍ଛତା, କାର୍ଯ୍ୟଦକ୍ଷତା ଓ ଡିଜିଟାଲ ସୁବିଧାର ବୃଦ୍ଧି ସହିତ ସେବା ପ୍ରଦାନ ପ୍ରକ୍ରିୟା ଅଧିକ ସଂଗଠିତ ହେବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି I
ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ବିଭାଗର କମିଶନର-ତଥା-ଶାସନ ସଚିବ ଗୁହା ପୁନମ ତାପସ କୁମାର ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ କହିଥିଲେ, ୬୮ ବର୍ଷର ଯାତ୍ରାରେ ଉତ୍କଳିକା ବିଶ୍ଵାସଯୋଗ୍ୟ ପ୍ରତିଷ୍ଠାନ ଭାବେ ପ୍ରତିଷ୍ଠିତ ହୋଇପାରିଛି। ୨୦୨୫–୨୬ ଆର୍ଥିକ ବର୍ଷରେ ଉତ୍କଳିକା ₹ ୫୧.୫୩ କୋଟିର ବ୍ୟବସାୟ କରିଥିବାବେଳେ ୨୦୨୬–୨୭ ପାଇଁ ₹୭୫ କୋଟିର ଲକ୍ଷ୍ୟ ରଖିଛି। ଏହି ଲକ୍ଷ୍ୟ ପୂରଣ ପାଇଁ ନୂତନ ବିପଣନ କେନ୍ଦ୍ର ଖୋଲିବା, ଅନଲାଇନ ବିକ୍ରୟ ବ୍ୟବସ୍ଥାର ସୁଦୃଢୀକରଣ, ନୂଆ ଡିଜାଇନ୍କୁ ଗୁରୁତ୍ଵ ଉପରେ ପ୍ରଦାନ କରାଯାଉଛି।
ନିର୍ଦ୍ଧାରିତ ଲକ୍ଷ୍ୟଠାରୁ ଅଧିକ ବ୍ୟବସାୟ କରିଥିବା ବର୍ଗରେ କେନ୍ଦୁଝର ଉତ୍କଳିକା ପ୍ରଥମ ପୁରସ୍କାର ଜିତିଥିବା ବେଳେ କଳାଭୂମି ଦ୍ଵିତୀୟ ଏବଂ ପୁରୀ-ଉତ୍କଳିକା ତୃତୀୟ ପୁରସ୍କାର ବିଜୟୀ ହୋଇଛନ୍ତି। ଉତ୍କଳିକା ଶାଖା ପରିଚାଳକ ଦିବାକର ସେଠୀ, ଶାରଳା ପଟ୍ଟନାୟକ ଏବଂ ମଧୁସୂଦନ ମାଝୀ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପୁରସ୍କାର ଗ୍ରହଣ କରିଥିଲେ।
ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଉତ୍କଳିକାର ସଭାପତି ଦେବସ୍ମିତା ସାହୁ, ଉପ-ସଭାପତି ପ୍ରଶାନ୍ତ କୁମାର ମହାପାତ୍ର, ପରିଚାଳନା ନିର୍ଦ୍ଦେଶକ ପ୍ରତାପ ଚନ୍ଦ୍ର ହୋତା, ହସ୍ତଶିଳ୍ପ ନିର୍ଦ୍ଦେଶିକା ନିବେଦିତା ପୃଷ୍ଟି, ସାଧାରଣ ପରିଚାଳିକା ମମତା ନାୟକ, ଉତ୍କଳିକାର ଅଧିକାରୀବୃନ୍ଦ, ବିଭିନ୍ନ ସମବାୟ ସମିତିର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଉତ୍କଳିକା ଦ୍ଵାରା ପରିଚାଳିତ “ଜାତୀୟ ହସ୍ତଶିଳ୍ପ ଉନ୍ନୟନ ଯୋଜନା”ଅଧୀନରେ ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ ଉତ୍ପାଦ, ତାଲିମ କେନ୍ଦ୍ର ପକ୍ଷରୁ ବିକଶିତ ନୂତନ ଉତ୍ପାଦ, ଉତ୍କଳିକା ଦ୍ଵାରା ବିକଶିତ ନୂତନ ଡିଜାଇନ୍ର ଉତ୍ପାଦମାନଙ୍କର ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା।
ସୂଚନାଯୋଗ୍ୟ ଯେ ୧୯୫୯ ମସିହାରେ ଉତ୍କଳିକା ପ୍ରତିଷ୍ଠା ହୋଇଥିଲା। ବର୍ତ୍ତମାନ ଉତ୍କଳିକାରେ ୧୧୬ଟି ପ୍ରାଥମିକ ହସ୍ତଶିଳ୍ପ ସମବାୟ ସମିତି ସଦସ୍ୟ ଭାବେ ପଞ୍ଜିକୃତ ହୋଇଛନ୍ତି। ରାଜ୍ୟ ଭିତରେ ଉତ୍କଳିକାର ୧୨ଟି ଶାଖା ଏବଂ ରାଜ୍ୟ ବାହାରେ ୬ଟି ଶାଖା ସହିତ ସର୍ବମୋଟ ୧୮ଟି ଶାଖା ମାଧ୍ୟମରେ ଏହା କାର୍ଯ୍ୟ କରୁଛି।


