୧୨୦୦ରୁ ଅଧିକ ପିଜିଟି ୧୦ଟି ପର୍ଯ୍ୟାୟରେ ତାଲିମ୍ ନେଲେଣି

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ନିମନ୍ତେ ତାଲିମ୍ କର୍ମଶାଳାର ଆୟୋଜନ କରାଯାଇଛି। ଶିରିପୁରସ୍ଥିତି ଇମେଜ୍ ଠାରେ ପ୍ରାୟ ୧୦୪ ଜଣ ବିଭିନ୍ନ ବିଷୟର ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ନେଇ ତାଲିମ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହା ୧୦ ତମ ପ୍ରଶିକ୍ଷଣ କର୍ମଶାଳା। ଉଦଘାଟନୀ ଅଧିବେଶନରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ଯୁଗଳେଶ୍ବରୀ ଦାଶ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ନିୟତୀ ପଟ୍ଟନାୟକ,  ଯୁଗ୍ମ ନିର୍ଦ୍ଦେଶକ ସସ୍ମିତା ମାଳି, ସ୍ନିଗ୍ଧା ମିଶ୍ର, ନିର୍ଦ୍ଦେଶାଳୟ ଉପ ନିର୍ଦ୍ଦେଶକ ସି. ଏଚ୍. ବିଜୟଲକ୍ଷ୍ମୀ ପ୍ରମୁଖ ଉପସ୍ଥିତ ଥିଲେ। 

ଏହି ଅବସରରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ କହିଛନ୍ତି, ପିଜିଟି ଶିକ୍ଷକମାନେ ଉଚ୍ଚ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଶିକ୍ଷାଦାନ ପଦ୍ଧତିକୁ ଅଧିକ ଗୁଣାତ୍ମକ, ଛାତ୍ରକୈନ୍ଦ୍ରିକ ଓ ପ୍ରଭାବଶାଳୀ କରିବା ପାଇଁ ଏଭଳି ପ୍ରଶିକ୍ଷଣ ଅତ୍ୟନ୍ତ ଆବଶ୍ୟକ। ଶିକ୍ଷକମାନେ ନୂତନ ଶିକ୍ଷାଦାନ କୌଶଳ ଓ ଆଧୁନିକ ଶିକ୍ଷଣ ପଦ୍ଧତିକୁ ଆପଣାଇଲେ ଛାତ୍ରଛାତ୍ରୀଙ୍କ ଦକ୍ଷତା ଓ ସାମଗ୍ରିକ ବିକାଶରେ ଅଧିକ ଅବଦାନ ରଖିପାରିବେ ବୋଲି ସେ ମତ ପ୍ରକାଶ କରିଛନ୍ତି। ସେହିପରି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ କହିଛନ୍ତି, ଶିକ୍ଷକମାନଙ୍କ ବୃତ୍ତିଗତ ଦକ୍ଷତାର ବିକାଶ ହିଁ ଶିକ୍ଷାର ଗୁଣାତ୍ମକ ଉନ୍ନତିର ମୂଳ ଆଧାର। ଏହି ପାଞ୍ଚ ଦିନିଆ ପ୍ରଶିକ୍ଷଣ କର୍ମଶାଳାରେ ଶିକ୍ଷକମାନେ ପ୍ରଶାସନିକ ଦାୟିତ୍ବ ସମ୍ପର୍କରେ ଅବଗତ ହେବେ ବୋଲି ସେ କହିଛନ୍ତି।

ସେହିପରି ଯୁଗ୍ମ ନିର୍ଦ୍ଦେଶକ ସସ୍ମିତା ମାଳି ସ୍ବାଗତ ଅଭିଭାଷଣ ରଖିବା ସହ ପାଞ୍ଚ ଦିନିଆ ତାଲିମ୍ କର୍ମଶାଳାର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ। ଯୁଗ୍ମ ନିର୍ଦ୍ଦେଶକ ସ୍ନିଗ୍ଧା ମିଶ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉପନିର୍ଦ୍ଦେଶିକା ସି.ଏଚ୍.ବିଜୟଲକ୍ଷ୍ମୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୂଚନାଯୋଗ୍ୟ, ନିଯୁକ୍ତି ମେଳା ମାଧ୍ୟମରେ ପ୍ରାୟ ୧୨୧୧ ଜଣ ପିଜିଟିଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା। ସେହି ପିଜିଟି ମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଭୁବନେଶ୍ବର ଠାରେ ତାଲିମ୍ ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *