ଦିଲ୍ଲୀ ବାହାରକୁ ସ୍ଥାନାନ୍ତରିତ ହେବ ତିହାର ଜେଲ

ନୂଆଦିଲ୍ଲୀ: ଦିଲ୍ଲୀ ବାହାରକୁ ଚର୍ଚ୍ଚିତ ତିହାର ଜେଲ ସ୍ଥାନାନ୍ତରିତ ହେବ । ସେଠାରେ ଯେତିକି ବନ୍ଦୀଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଛି ତାହାର ଦୁଇଗୁଣ ବନ୍ଦୀ ରହୁଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଜଣେ ଅଧିକାରୀ କହିଛନ୍ତି, ତିହାରର ୧ରୁ ୯ ନମ୍ବର ପର୍ଯ୍ୟନ୍ତ ଜେଲରେ ମୋଟ ୫ହଜାର ବନ୍ଦୀ ରହିବା ବ୍ୟବସ୍ଥା ଥିବାବେଳେ ସେଠାରେ ଏବେ ବନ୍ଦୀଙ୍କ ସଂଖ୍ୟା ୧୨ ହଜାରରେ ପହଞ୍ଚିଛି । ଯେଉଁଥିପାଇଁ ତିହାର ଜେଲକୁ ସମ୍ପୂର୍ଣ୍ଣ ଭାବରେ ପଶ୍ଚିମ ଦିଲ୍ଲୀରୁ ରାଜଧାନୀ ବାହାରକୁ ସ୍ଥାନାନ୍ତର କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀ ବିକାଶ ପ୍ରାଧିକରଣ (ଡିଡିଏ) ଜେଲ କଂପ୍ଲେକ୍ସ ପାଇଁ ୪୦୦ ଏକ ଜମି ଯୋଗାଇଦେବା ପ୍ରସ୍ତାବକୁ ଅନୁମୋଦନ କରିବା ପରେ ଏ ଦିଗରେ ଆନୁଷଙ୍ଗିକ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଜେଲ ବିଭାଗର ଜଣେ ଅଧିକାରୀ କହିଛନ୍ତି ।
ସୂଚନା ଅନୁଯାୟୀ ଜେଲ କର୍ତ୍ତୃପକ୍ଷ ଗତ ମାସରେ ଡିଡିଏକୁ ପତ୍ରଲେଖି ଜମି ଯୋଗାଇଦେବାକୁ ଅନୁରୋଧ କରିବା ସହିତ ମାତ୍ରାଧିକ ସଂଖ୍ୟାରେ ବନ୍ଦୀ ରହିବା ଦ୍ୱାରା ଜେଲ ପରିସରରେ ସୃଷ୍ଟି ହେଉଥିବା ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ଉକ୍ତ ପତ୍ର ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଧ୍ୟ ଗତ ମାର୍ଚ୍ଚରେ ତାଙ୍କ ବଜେଟ ଅଭିଭାଷଣରେ ଉଲ୍ଲେଖ କରିଥିଲେ । ସେଥିରେ ସେ ତିହାର ଜେଲ ସ୍ଥାନାନ୍ତରଣ ବିଷୟରେ ସୂଚନା ଦେଇଥିଲେ । ତିହାର ଜେଲରେ ଧାର୍ଯ୍ୟ କ୍ଷମତାଠାରୁ ଦୁଇଗୁଣ ଅଧିକ ବନ୍ଦୀ ରହୁଥିବାରୁ ଜଳ ଯୋଗାଣ, ସିୱେରେଜ, ଆବର୍ଜନା ସ୍ଥାନାନ୍ତରଣ ଆଦି ଅନେକ ସମସ୍ୟା ସୃଷ୍ଟି ହେଉଥିବା ଏବଂ ଏହାଦ୍ୱାରା ଜେଲ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡୁଥିବା ଉକ୍ତ ପତ୍ରରେ ଉଲ୍ଲେଖ କରାଯାଇଥିଲା । ଏଥିରେ ଆଉ ମଧ୍ୟ କୁହାଯାଇଥିଲା ଯେ ତିହାର ଜେଲ ତିଳକ ନଗର ଏବଂ ହରି ନଗର ଜନସାଧାରଣଙ୍କ ବାସଗୃହ ଅଞ୍ଚଳ ନିକଟରେ ରହିଛି । ତିହାରର ଅଧିକାଂଶ ଜେଲ ଏକ ମହଲା ବିଶିଷ୍ଟ ଏବଂ ତାହା ନିକଟରେ ଥିବା ଆବାସିକ ପ୍ରକଳ୍ପଗୁଡିକ ବହୁତଳ ବିଶିଷ୍ଟ କୋଠା । ତେଣୁ ଜଣେ ଉକ୍ତ କୋଠାରେ ଚଢି ତିହାର ଭିତରେ କଣ ଚାଲିଛି ତାହା ଦେଖିପାରିବେ ଏବଂ ଉଚ୍ଚ କୋଠାରୁ ତିହାର ଭିତରକୁ ଯେକୋ÷ଣସି ଜିନିଷ ଫିଙ୍ଗାଯାଇପାରିବ । ତାହାସହିତ ଜେଲ ପରିସରରେ ଜାମର ଲାଗିଥିବାରୁ ଜନସାଧାରଣ ମଧ୍ୟ ମୋବାଇଲ ଏବଂ ଇଂଟରନେଟ ସେବା ପାଇବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହିସବୁ କାରଣରୁ ଜେଲକୁ ଜନବସତି ବାହାରକୁ ସ୍ଥାନାନ୍ତର କରାଯିବା ଉପରେ ଗୁରୁତ୍ୱ ଦିଆଯାଉଛି ।