ସ୍ୱର୍ଣ୍ଣମନ୍ଦିରକୁ ଟାର୍ଗେଟ କରିଥିଲେ ପାକିସ୍ତାନୀ ସେନା

ଅମୃତସର: ପହଲଗାଓଁରେ ଆତଙ୍କବାଦୀଙ୍କ ଦ୍ୱାରା ନରସଂହାର ପରେ ପାକିସ୍ତାନ ପକ୍ଷରୁ ଲଗାତର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇ ସୀମା ଆରପଟୁ ଗୁଳି ଚାଳନା କରାଯିବା ପରେ ଭାରତ ‘ଅପରେସନ ସିନ୍ଦୁର’ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଭାରତୀୟ ସେନା ପାକିସ୍ତାନ ମଧ୍ୟରେ ରହିଥିବା ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରି ତାହାକୁ ଧ୍ୱଂସ କରିଦେଇଥିବାବେଳେ ପାକିସ୍ତାନ କୋ÷ଣସି ବାଟ ନପାଇ ଭାରତର ଧର୍ମୀୟ ସ୍ଥଳ ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲା । ଏହା ଅମୃତସରସ୍ଥିତ ସ୍ୱର୍ଣ୍ଣ ମନ୍ଦିରକୁ ଟାର୍ଗେଟ କରି ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିଥିବାବେଳେ ପୂର୍ଣ୍ଣ ସଜାଗ ଥିବା ଭାରତୀୟ ସେନା ଶତ୍ରୁପକ୍ଷରୁ ଏହି ଉଦ୍ୟମକୁ ପଣ୍ଡ କରିଦେଇଥିଲେ ବୋଲି ଭାରତୀୟ ସେନାର ୧୫ତମ ଇନଫାଣ୍ଟ୍ରି ଡିଭିଜନର ମେଜର ଜେନେରାଲ କାର୍ତ୍ତିକ ସି ଶେଷାଦ୍ରି, ଜେନେରାଲ ଅଫିସର କମାଣ୍ଡିଂ (ଜିଓସି) କହିଛନ୍ତି ।
ସୋମବାର ସେ କହିଛନ୍ତି ଯେ ମେ ୭ ଓ ୮ ତାରିଖ ମଧ୍ୟରାତିରେ ପାକିସ୍ତାନ ସେନା ପକ୍ଷରୁ ସ୍ୱର୍ଣ୍ଣମନ୍ଦିରକୁ ଲକ୍ଷ୍ୟକରି ଏଭଳି ଆକ୍ରମଣ କରାଯାଇଥିଲା । କାରଣ ସେମାନଙ୍କ ନିକଟରେ କୋ÷ଣସି ଯୁକ୍ତିଯୁକ୍ତ ସ୍ଥାନ ଆକ୍ରମଣ ପାଇଁ ନଥିବାରୁ ଏହା ଜନବସତି ଓ ଧର୍ମୀୟ ସ୍ଥଳଗୁଡିକ ଉପରେ ଆକ୍ରମଣ କରିପାରେ ବୋଲି ଭାରତୀୟ ସେନା ଆଶଙ୍କା କରିବା ସହିତ ସେଥିପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିଥିଲା । ଏଭଳି ସ୍ଥାନଗୁଡିକ ମଧ୍ୟରେ ସ୍ୱର୍ଣ୍ଣମନ୍ଦିର ପ୍ରମୁଖ ସ୍ଥାନ ନେଇଥିଲା । ପାକିସ୍ତାନ ସେନାର ଏଭଳି ହୀନ ଉଦ୍ୟମକୁ ଭାରତର ଆଧୁନିକ ବାୟୁ ପ୍ରତିରକ୍ଷା ଉପକରଣ ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିଥିଲା ବୋଲି ମେଜର ଜେନେରାଲ ଶେଷାଦ୍ରି କହିଛନ୍ତି । ସେ କହିଛନ୍ତି, ପାକିସ୍ତାନ ମଧ୍ୟରାତିରେ ଅନ୍ଧକାର ସୁଯୋଗ ନେଇ ଜୋରଦାର ଡ୍ରୋନ ଏବଂ ଦୂରଗାମୀ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା । କିନ୍ତୁ ଭାରତୀୟ ସେନା ଶତ୍ରୁପକ୍ଷର ସମସ୍ତ ଡ୍ରୋନ ଏବଂ କ୍ଷେପଣାସ୍ତ୍ରଗୁଡିକୁ ଖସାଇ ଦେବା ସହିତ ସ୍ୱର୍ଣ୍ଣମନ୍ଦିରକୁ ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିଥିଲେ ।
ଭାରତୀୟ ସେନା ମଧ୍ୟ ନିଜର ଆକାଶ କ୍ଷେପଣାସ୍ତ୍ର ବ୍ୟବସ୍ଥା ଏବଂ ଏଲ-୭୦ ବାୟୁ ପ୍ରତିରକ୍ଷା କମାଣ କିଭଳି ସଫଳତାର ସହିତ ପାକିସ୍ତାନର ସମସ୍ତ ଡ୍ରୋନ ଏବଂ କ୍ଷେପଣାସ୍ତ୍ରଗୁଡିକୁ ନଷ୍ଟ କରିବାରେ ସଫଳ ହୋଇଥିଲା, ତାହା ପ୍ରଦର୍ଶିତ କରିଥିଲେ । ପୂର୍ବରୁ ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ ୮ ତାରିଖ ରାତିରେ ପାକିସ୍ତାନ ପଟୁ ହୋଇଥିବା ଆକ୍ରମଣରେ ଭାରତର ଅନେକ ସହର ଏବଂ ସାମରିକ ସ୍ଥଳଗୁଡିକୁ ଟାର୍ଗେଟ କରାଯାଇଥିଲା; ଯେଉଁଥିରେ ଅମୃତସର, ଜମ୍ମୁ, ଶ୍ରୀନଗର, ପଠାନକୋଟ, ଜଳନ୍ଧର, ଲୁଧିଆନା, ଚଣ୍ଡିଗଡ, ଭୁଜ ଆଦି ସ୍ଥାନ ରହିଥିଲା । ଉକ୍ତ ରାତିରେ କାଶ୍ମୀରର ବିଭିନ୍ନ ସ୍ଥାନରେ ଏକାଧିକ ବିସ୍ଫୋରଣ ଶବ୍ଦ ମଧ୍ୟ ଶୁଭିଥିଲା । ତେବେ ଭାରତର ସମନ୍ୱିତ ପ୍ରତିରକ୍ଷା ବ୍ୟବସ୍ଥା ପାକିସ୍ତାନର ସମସ୍ତ ଆକ୍ରମଣ ଉଦ୍ୟମକୁ ପଣ୍ଡ କରିଦେବା ସହିତ ଉକ୍ତ ସ୍ଥାନଗୁଡିକୁ ପୂର୍ଣ୍ଣ ସୁରକ୍ଷିତ ରଖିଥିଲା ।