‘ହାଫିଜ ସଇଦକୁ ହସ୍ତାନ୍ତର କର, ସବୁ ସମସ୍ୟାର ସମାଧାନ ହୋଇଯିବ’

ନୂଆଦିଲ୍ଲୀ: ଅପରେସନ ସିନ୍ଦୁର ସ୍ଥଗିତ ରହିଛି, ଶେଷ ହୋଇନାହିଁ ବୋଲି ଇସ୍ରାଏଲରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଜେ ପି ସିଂ କହିଛନ୍ତି । ଏଥିସହିତ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାର ଅଭିଯୁକ୍ତ ଆତଙ୍କବାଦୀମାନଙ୍କୁ ଭାରତକୁ ହସ୍ତାନ୍ତର କରିବାକୁ ସେ ପାକିସ୍ତାନକୁ ଅନୁରୋଧ କରିଛନ୍ତି । ଏହି ଅବସରରେ ସେ ସତର୍କ କରାଇଦେଇ କହିଛନ୍ତି ଯେ, ସୀମାପାର ଆତଙ୍କବାଦ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନ ଜାରି ରହିବ । ପାକିସ୍ତାନ ମନେରଖିବା ଉଚିତ ଯେ ଅପରେସନ ସିନ୍ଦୁର ସ୍ଥଗିତ ରହିଛି, ଶେଷ ହୋଇନାହିଁ । ସେଥିପାଇଁ ହାଫିଜ ସଇଦ, ସାଜିଦ ମୀର ଏବଂ ଜାକିଉର ରହମନ ଲଖଭୀ ଭଳି କୁଖ୍ୟାତ ଆତଙ୍କବାଦୀଙ୍କୁ ପାକିସ୍ତାନ ଭାରତକୁ ହସ୍ତାନ୍ତର କରିବା ଉଚିତ । ଆମେରିକା ଯେଉଁଭଳି ଭାବରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ତାହାଉର ରାଣାକୁ ଭାରତକୁ ପ୍ରତ୍ୟର୍ପଣ କରିଛି, ପାକିସ୍ତାନ ସେହିଭଳି ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ।

ଇସ୍ରାଏଲୀ ଟେଲିଭିଜନ ଚାନେଲ ଆଇ୨୪କୁ ଏକ ସାକ୍ଷାତକାର ଦେଇ ସିଂ କହିଛନ୍ତି, ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ପ୍ରାଥମିକ ସ୍ତରରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଭିତ୍ତିଭୂମିକୁ ଲକ୍ଷ୍ୟ କରି କରାଯାଇଥିଲା । ଏପି୍ରଲ ୨୨ ତାରିଖରେ ପହଲଗାଓଁରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଭିତ୍ତିଭୂମିକୁ ନଷ୍ଟ କରିବା ଏହାର ଲକ୍ଷ୍ୟ ଥିଲା । ପହଲଗାଓଁରେ ୨୬ଜଣ ନିରୀହ ପର୍ଯ୍ୟଟକଙ୍କୁ ସେମାନଙ୍କର ଧର୍ମ ପଚାରି ଗୁଳିକରି ହତ୍ୟା କରାଯାଇଥିଲଶ । ଭାରତ ସେମାନଙ୍କୁ ଟାର୍ଗେଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାବେଳେ ପାକିସ୍ତାନ ଭାରତର ସାମରିକ ସ୍ଥଳଗୁଡିକ ଉପରେ ଆକ୍ରମଣ କରିବା ଆରମ୍ଭ କଲା । ଭାରତ ସେହି ସମସ୍ତ ଆକ୍ରମଣ ଉଦ୍ୟମକୁ ପଣ୍ଡ କରିବା ସହିତ ପାକିସ୍ତାନକୁ ଦୃଢ ଜବାବ ଦେଇଛି । ସେ ସ୍ପଷ୍ଟ କରିଦେଇଥିଲେ ଯେ ଆତଙ୍କବାଦ ବିରୋଧରେ ଭାରତର ଲଢେଇ ଜାରି ରହିବ । ଭାରତ ଏ କ୍ଷେତ୍ରରେ ଏକ ନୂତନ ଆଭିମୁଖ୍ୟ ଗ୍ରହଣ କରିଛି । ଆତଙ୍କବାଦୀମାନେ ଯେଉଁଠାରେ ଥିଲେ ମଧ୍ୟ ଭାରତ ସେମାନଙ୍କୁ ନିପାତ କରିବ ଏବଂ ସେମାନଙ୍କ ଭିତ୍ତିଭୂମି ଧ୍ୱଂସ କରିବ ।

ସିନ୍ଧୁ ଜଳ ଚୁକ୍ତିକୁ ଭାରତ ସ୍ଥଗିତ ରଖିବା ଯୁଦ୍ଧ ସହିତ ସମାନ ବୋଲି ପାକିସ୍ତାନର ଦାବି ଉପରେ ପ୍ରତିକ୍ରିୟା ରଖି ସିଂ କହିଥିଲେ, ଏହି ଚୁକ୍ତି ଯେଉଁ ନୀତି ଦ୍ୱାରା ପରିଚାଳିତ ତାହା ହେଉଛି ସଦିଚ୍ଛା ଏବଂ ବନ୍ଧୁତ୍ୱ । ପାକିସ୍ତାନ ଉକ୍ତ ନୀତିକୁ କେବେ ଅନୁସରଣ କରିନାହିଁ । ଭାରତ ସିନ୍ଧୁ ଜଳପ୍ରବାହ ଜାରି ରଖିବାବେଳେ ପାକିସ୍ତାନ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ କରିଦେଇଛନ୍ତି ଯେ ରକ୍ତ ଓ ଜଳ ଏକ ସମୟରେ ପ୍ରବାହିତ ହୋଇପାରିବ ନାହିଁ । ଆତଙ୍କବାଦୀଙ୍କୁ ପାକିସ୍ତାନର ସମର୍ଥନ ଓ ପ୍ରୋତ୍ସାହନ ସମ୍ପର୍କିତ ପ୍ରମାଣ ଏକାଧିକ ଥର ପ୍ରଦାନ କରାଯାଇଛି । ଆମେରିକା ମଧ୍ୟ ଏ ସମ୍ପର୍କିତ ପ୍ରମାଣ ଦେଇଛି । ତଥାପି ଆତଙ୍କବାଦୀମାନେ ପାକିସ୍ତାନରେ ମୁକ୍ତ ଭାବରେ ବୁଲୁଛନ୍ତି । ଆମେରିକା ଯଦି ରାଣାକୁ ପ୍ରତ୍ୟର୍ପଣ କରିପାରିଲା ତେବେ ପାକିସ୍ତାନ କାହିଁକି ଆତଙ୍କବାଦୀମାନଙ୍କୁ ଭାରତକୁ ହସ୍ତାନ୍ତର କରିପାରିବ ନାହିଁ ବୋଲି ସିଂ ପ୍ରଶ୍ନ କରିଛନ୍ତି ।

Leave a Reply

Your email address will not be published. Required fields are marked *