ସରକାରୀ କ୍ୱାର୍ଟର୍ସରେ ଚାଲିଥିଲା ହୋଟେଲ ଓ ମଣ୍ଡପ: ଉଚ୍ଛେଦ ଆରମ୍ଭ

ଭୁବନେଶ୍ୱର: ସରକାରୀ କ୍ୱାର୍ଟର୍ସଗୁଡିକୁ ଜବର ଦଖଲ କରାଯାଇ ସେଠାରେ ହୋଟେଲ, କଲ୍ୟାଣ ମଣ୍ଡ ଏବଂ ଗୋଦାମ ଆଦି ଚାଲିଥିଲା । ଗୋଟିଏ ଦୁଇଟି ନୁହେଁ, ପ୍ରାୟେ ୧୦୦ଟି କ୍ୱାର୍ଟର୍ସ ଏହିଭଳି ବ୍ୟବହାର କରାଯାଉଥିଲା । ଭୁବନେଶ୍ୱର ମହାନଗରର ୟୁନିଟ ୨ ଅଞ୍ଚଳରେ ସରକାରୀ କ୍ୱାର୍ଟର୍ସ ଏହିଭଳି ଜବରଦଖଲ କରାଯାଇ ବ୍ୟବସାୟିକ ଉଦେ୍ଦଶ୍ୟରେ ବ୍ୟବହାର କରାଯାଉଥିଲେ ମଧ୍ୟ ତାହା କିଭଳି କାହା ନଜରରେ ପଡୁନଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନାଯୋଗ୍ୟ ଯେ ରାଜଧାନୀ ପୁନଃବିକାଶ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଚାରିବର୍ଷ ତଳେ ଉକ୍ତ ସରକାରୀ ବାସଭବନଗୁଡିକରେ ରହୁଥିବା କର୍ମଚାରୀଙ୍କୁ ସେଠାରୁ ବାହାର କରିଦିଆଯାଇଥିଲା । କିନ୍ତୁ ତାହାପରେ ସେଗୁଡିକ ଜବରଦଖଲକାରୀଙ୍କ କବଜାକୁ ଚାଲିଯାଇଥିଲା ।
ସରକାରଙ୍କର ସାଧାରଣ ପ୍ରଶାସନ ବିଭାଗ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ, ପୂର୍ତ୍ତ ବିଭାଗ, ଭୁବନେଶ୍ୱର ମହାନଗର ନିଗମ, ୱାଟକୋ ଏବଂ ଟିପିସିଓଡିଏଲ ପକ୍ଷରୁ ମିଳିତ ଭାବରେ ଉକ୍ତ ସରକାରୀ ବାସଭବନରେ ଜବରଦଖଲ କରିଥିବା ଲୋକଙ୍କୁ ସେଠାରୁ ତଡିବାକୁ ଅଭିଯାନ ହାତକୁ ନିଆଯାଇଛି । ସେମାନଙ୍କୁ ସେଠାରୁ ଖାଲି କରାଯିବା ସମୟରେ ଗୋଟିଏ ସେକ୍ସନ ପୋଲିସ ଫୋର୍ସ ମଧ୍ୟ ଉପସ୍ଥିତ ଥିଲେ । ସାଧାରଣ ପ୍ରଶାସନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଏହି ଅଭିଯାନ ସମୟରେ ପ୍ରାଥମିକ ପର୍ଯ୍ୟାୟରେ ୧୩ଟି କ୍ୱାର୍ଟର୍ସରୁ ଜବରଦଖଲକାରୀଙ୍କୁ ହଟାଯାଇଛି । ତାହାସହିତ ସେଗୁଡିକ ଜଉମୁଦ କରିଦିଆଯାଇଛି । ଏହି ଉଚ୍ଛେଦ କାର୍ଯ୍ୟ ଜାରି ରହିବ ଏବଂ ସମସ୍ତ ପ୍ରାୟ ୧୦୦ କ୍ୱାର୍ଟର୍ସରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯିବ ।
ସୂଚନା ଅନୁଯାୟୀ ଭୁବନେଶ୍ୱର ମହାନଗର ଅଞ୍ଚଳରେ ସରକାରୀ କର୍ମଚାରୀଙ୍କ ପାଇଁ ବାସଗୃହର ଅଭାବ ରହିଥିବାବେଳେ ରାଜଧାନୀ ପୁନଃବିକାଶ ପ୍ରକଳ୍ପରେ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯିବା ବ୍ୟବସ୍ଥା ରହିଛି । ୨୦୧୯-୨୦ରେ ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ରହିଥିବା ୨୨୦ଟି କ୍ୱାର୍ଟର୍ସରୁ କର୍ମଚାରୀଙ୍କୁ ବାହାର କରାଯିବା ସହିତ ସେଗୁଡିକ ଭାଙ୍ଗି ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ପ୍ରକଳ୍ପ କାର୍ଯ୍ୟ ବିଳମ୍ବିତ ହେବାରୁ ଜବରଦଖଲକାରୀମାନେ ବେଆଇନ ଭାବରେ ପ୍ରାୟ ୧୦୦ଟି କ୍ୱାର୍ଟର୍ସକୁ ମାଡିବସି ସେମାନଙ୍କର ବ୍ୟବସାୟ ଚଳାଇଥିଲେ । ସାଧାରଣ ପ୍ରଶାସନ ବିଭାଗର ଜଣେ ଅଧିକାରୀ ସ୍ୱୀକାର କରିଛନ୍ତି ଯେ, ଜବରଦଖଲ ଏଭଳି ବ୍ୟାପକ ହୋଇଛି ଯେ କେତେକ ବେଆଇନ ଜବରଦଖଲକାରୀ ଉକ୍ତ କ୍ୱାର୍ଟର୍ସଗୁଡିକୁ ବ୍ୟବସାୟିକ ସ୍ଥାନରେ ପରିଣତ କରିଛନ୍ତି । ସେଠାରେ ସେମାନେ ଗୋଦାମ, ସାମଗ୍ରୀ ମହଜୁଦ ରଖିବା ଭଣ୍ଡାର ଏବଂ ନିର୍ମାଣକାରୀ ଛୋଟ କାରଖାନା ମଧ୍ୟ ଖୋଲିଦେଇଛନ୍ତି । ଏପରିକି କିଛି ଲୋକ କେତେକ କ୍ୱାର୍ଟର୍ସକୁ ଅନ୍ୟମାନଙ୍କୁ ଭଡାସୂତ୍ରରେ ଦେଇଛନ୍ତି । ଚଢାଉ ସମୟରେ ସେମାନେ ଉକ୍ତ କ୍ୱାର୍ଟର୍ସରେ ଏକ ହୋଟେଲ ଏବଂ ଏକ କଲ୍ୟାଣମଣ୍ଡପ ଚାଲିଥିବା ମଧ୍ୟ ଦେଖିବାକୁ ପାଇଥିଲେ ।