କେରଳରେ ବଢୁଛି କୋଭିଡ ସଂକ୍ରମଣ: ୧୮୨ ଚିହ୍ନଟ

ତିରୁଅନନ୍ତପୁରମ: ଦେଶର ବିଭିନ୍ନ ସ୍ଥାନରେ କୋଭିଡ-୧୯ ସଂକ୍ରମଣ ବୃଦ୍ଧିପାଉଥିବାବେଳେ କେରଳରେ ଅଧିକ ସଂଖ୍ୟାରେ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ କରାଯାଇଛି । ମେ ମାସରେ ଏପର୍ଯ୍ୟନ୍ତ ରାଜ୍ୟରେ ୧୮୨ଜଣ କୋଭିଡ ସଂକ୍ରମିତ ହୋଇଥିବା ଜଣାଯାଇଛି । ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଜନସାଧାରଣ ସତର୍କ ଓ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି । ଗଣମାଧ୍ୟମ ନିକଟରେ ପ୍ରକାଶ କରି ସେ କହିଛନ୍ତି ଯେ ରାଜ୍ୟ ସରକାର କୋଭିଡ ସଂକ୍ରମଣ ଜନିତ ପରିସ୍ଥିତିର ମୁକାବିଲା କରିବାକୁ ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ହଂକଂ ଏବଂ ସିଙ୍ଗାପୁର ଆଦି ରାଷ୍ଟ୍ରରେ ଓମିକ୍ରନ ଜେଏନ୧ ଉପ ପ୍ରକରଣ ଏଲଏଫ.୭ ଏବଂ ଏନବି ୧.୮ ଚିହ୍ନଟ ହୋଇଥିବାବେଳେ ସେଗୁଡିକ ରୋଗ ବ୍ୟାପିବାର ଅଧିକ କ୍ଷମତା ରଖିଥିବା ଜଣାଯାଇଛି । ଏହି କାରଣରୁ ଦକ୍ଷିଣ ପୂର୍ବ ଏସୀୟ ଅଞ୍ଚଳରେ କୋଭିଡ-୧୯ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧିପାଉଛି । ମେ ମାସରେ କେରଳରେ ଚିହ୍ନଟ ହୋଇଥିବା ମୋଟ ୧୮୨ଜଣଙ୍କ ମଧ୍ୟରୁ କୋଟାୟାମରେ ସର୍ବାଧବକ ୫୭ଜଣ, ଏର୍ଣ୍ଣାକୁଲମରେ ୩୪ ଏବଂ ତିରୁଅନନ୍ତପୁରମରେ ୩୦ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଅବଶିଷ୍ଟ ସଂକ୍ରମଣଗୁଡିକ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ହୋଇଥିବା ଜଣାଯାଇଛି । ଇତିମଧ୍ୟରେ ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ଏବଂ ପରବର୍ତ୍ତୀ ପଦକ୍ଷେପ ସ୍ଥିର କରିବାକୁ ରାଜ୍ୟ ଦ୍ରୁତ ସମ୍ବେଦୀ ଟିମ୍‌ (ଆରଆରଟି)ର ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇସାରିଛି । ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ କୋଭିଡ ୧୯ ସଂକ୍ରମଣ ଲକ୍ଷଣ ପ୍ରକାଶ ପାଉଥିବା ଲୋକଙ୍କର ନମୁନା ପରୀକ୍ଷଣରେ ବୃଦ୍ଧି କରାଯିବ । ଇତିମଧ୍ୟରେ ରାଜ୍ୟର ସମସ୍ତ ହସପିଟାଲକୁ ଆରଟିପିସିଆର କିଟ୍‌ ଏବଂ ନିରାପତ୍ତା ଉପକରଣ ଆଦିର ଉପଲବ୍ଧତା ସୁନିଶ୍ଚିତ କରିବା ତଥା ହସପିଟାଲଗୁଡିକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସ୍ୱାସ୍ଥ୍ୟକର୍ମୀମାନେ ସବୁ ସମୟରେ ମାସ୍କ ପିନ୍ଧିବାକୁ କୁହାଯାଇଛି ।

ଏହି ଅବସରରେ ମନ୍ତ୍ରୀ ଜନସାଧାରଣଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ, ଯେଉଁମାନଙ୍କ ଠାରେ ଥଣ୍ଡା, ଗଳାରେ ଯନ୍ତ୍ରଣା, କାଶ ଏବଂ ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବା ଭଳି ଲକ୍ଷଣ ପ୍ରକାଶ ପାଏ ତେବେ ସେମାନେ ମାସ୍କ ପିନ୍ଧିବା ଆବଶ୍ୟକ । ବୟସ୍କ, ଗର୍ଭବତୀ ମହିଳା ଏବଂ ଗୁରୁତର ଅସୁସ୍ଥ ଲୋକମାନେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ସମ୍ପ୍ରତି ଦେଖିବାକୁ ମିଳୁଥିବା କୋଭିଡ ପ୍ରକରଣ ଦ୍ରୁତ ସଂକ୍ରମଣ କରୁଥିଲେ ମଧ୍ୟ ତାହା ସେଭଳି ସାଂଘାତିକ ହୋଇନାହିଁ । ତେବେ ପ୍ରାକ୍‌ ସତର୍କତା, ଆଦ୍ୟ ନମୁନା ପରୀକ୍ଷା ଆଦି ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇ କହିଛନ୍ତି ଯେ ଏହାଦ୍ୱାରା ଏକ ବଡଧରଣର କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରାଯାଇପାରିବ ।

Leave a Reply

Your email address will not be published. Required fields are marked *