ବାଂଲାଦେଶୀ ବିବାଦ: ଭୁବନେଶ୍ୱର ମେୟରଙ୍କ ବିରୋଧରେ ବିକ୍ଷୋଭ ଜାରି

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ବାଂଲାଦେଶୀଙ୍କୁ ସମର୍ଥନ କରି ମନ୍ତବ୍ୟ ଦେବା ପ୍ରତିବାଦରେ ତାଙ୍କ ବିରୋଧରେ ବିକ୍ଷୋଭ ଜାରି ରହିଛି । ମେୟର ଶୁକ୍ରବାର ନୟାପଲ୍ଲୀସ୍ଥିତ ୱାର୍ଡ ନମ୍ବର ୩୯ର ଏକ ନୂଆ କାର୍ଯ୍ୟାଳୟ କୋଠା ଉଦଘାଟନ କରିବାକୁ ପହଞ୍ଚିବା ସମୟରେ ତାଙ୍କୁ ଜନସାଧାରଣଙ୍କ ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯିବା ସହିତ ତାଙ୍କ ବିରୋଧରେ ଲେଖାଥିବା ପ୍ଲା କାର୍ଡ ଧରି ବିକ୍ଷୋଭ କରାଯାଇଥିଲା । ସୂଚନଯୋଗ୍ୟ ଯେ ନିକଟରେ ମେୟର ଶ୍ରୀମତୀ ଦାସ ରାଜଧାନୀରେ ବାସ କରୁଥିବା ବାଂଲାଦେଶୀଙ୍କୁ ନେଇ ନିଜର ଚିନ୍ତା ପ୍ରକଟ କରି ମନ୍ତବ୍ୟ ଦେଇଥିଲେ । ତେବେ ତାହାକୁ ନେଇ ବିରୋଧାଭାସ ପ୍ରକାଶ ପାଇବା ପରେ ସର୍ବସାଧାରଣରେ ମେୟର କହିଥିଲେ ଯେ, ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଜାରି କରାଯିବାକୁ ଥିବା ସମସ୍ତ ନିର୍ଦେଶାବଳୀ ସେ ଅନୁପାଳନ କରିବେ ।

ସ୍ଥାନୀୟ ଜନସାଧାରଣ କହିଛନ୍ତି ଯେ ସେମାନେ ମେୟରଙ୍କୁ ବାଂଲାଦେଶୀଙ୍କୁ ସମର୍ଥନ କରି କହିଥିବା କଥା ପାଇଁ ବିରୋଧ କରୁଛନ୍ତି । ସେମାନେ ପ୍ରଶ୍ନ କରିଛନ୍ତି ଯେ ରାଜଧାନୀରେ ବାଂଲାଦେଶୀ ଏବଂ ରୋହିଙ୍ଗ୍ୟାଙ୍କୁ କିଏ ରହିବାକୁ ସୁଯୋଗ ଦେଇଛି । ଯଦି ବିଦେଶୀ ନାଗରିକମାନେ ସ୍ଥାନୀୟ ଜନସାଧାରଣଙ୍କ ସମ୍ବଳକୁ ବ୍ୟବହାର କରନ୍ତି ତେବେ ସ୍ଥାନୀୟ ବାସିନ୍ଦା କଣ କରିବେ । ଯେଉଁମାନେ ଭୁବନେଶ୍ୱର ଜନସାଧାରଣଙ୍କ ନିରାପତ୍ତା ଓ ସୁରକ୍ଷା ପ୍ରତି ବିପଦ ପାଲଟିଛନ୍ତି ସେମାନଙ୍କ ସପକ୍ଷରେ ମେୟର ମନ୍ତବ୍ୟ ଦେଉଥିବା ଜଣେ ବିକ୍ଷୋଭକାରୀ ଯୁବକ କହିଥିଲେ । ସେ କହିଥିଲେ ଯେ, ଭୁବନେଶ୍ୱର ବାସିନ୍ଦା ମେୟରଙ୍କୁ ସେମାନଙ୍କର ସୁରକ୍ଷା ଓ କଲ୍ୟାଣ ନିମନ୍ତେ ଭୋଟ ଦେଇଥିଲେ । ସେଥିପାଇଁ ସେ ଏଭଳି ବିବାଦୀୟ ମନ୍ତବ୍ୟ ନିମନ୍ତେ କ୍ଷମା ନମାଗିବା ପର୍ଯ୍ୟନ୍ତ ସେମାନଙ୍କର ବିରୋଧାଭାସ ଓ ବିକ୍ଷୋଭ ଜାରି ରହିବ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ମେୟର ସୁଲୋଚନା ଦାସ ରାଜଧାନୀରେ ରହୁଥିବା ବାଂଲାଦେଶ ନାଗରିକଙ୍କ ପାଇଁ ଚିନ୍ତା ପ୍ରକଟ କରି ନିକଟରେ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ବିବାଦ ସୃଷ୍ଟି ହେବାପରେ ମହାନଗରର ବାସିନ୍ଦାଙ୍କ ପକ୍ଷରୁ ତାଙ୍କ ବିରୋଧରେ ବିକ୍ଷୋଭ ଓ ପ୍ରଦର୍ଶନ ଜାରି ରହିଛି । ଗତ ସପ୍ତାହରେ ସେ ନିଳାଦ୍ରୀ ବିହାରସ୍ଥିତ ୧୪ ନମ୍ବର ୱାର୍ଡ କାର୍ଯ୍ୟାଳୟକୁ ଯାଇଥିବା ସମୟରେ ସେଠାରେ ଜନସାଧାରଣ ତାଙ୍କୁ କଳାପତାକା ପ୍ରଦର୍ଶନ କରିଥିଲେ । ସେମାନେ କହିଥିଲେ ଯେ ଅନେକ ଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟର ପରିଚୟପତ୍ର, ପଡିକାର୍ଡ ଏପର୍ଯ୍ୟନ୍ତ ପ୍ରଦାନ କରାଯାଇନଥିବାବେଳେ ବାଂଲାଦେଶୀ ନାଗରିକଙ୍କୁ ଏହି ସମସ୍ତ କାର୍ଡ ପୂର୍ବ ବିଜେଡି ସରକାରଙ୍କ ସମୟରେ ପ୍ରଦାନ କରାଯାଇଥିଲା । ତାହାକୁ ନେଇ ସ୍ଥାନୀୟ ଜନସାଧାରଣ ପ୍ରଶ୍ନ ଉଠାଇବା ସହିତ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

Leave a Reply

Your email address will not be published. Required fields are marked *