ସାମୁଦ୍ରିକ ପର୍ଯ୍ୟାବରଣର ସୁରକ୍ଷା ସହିତ ଅର୍ଥନୀତିର ବିକାଶ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ MoU ସ୍ବାକ୍ଷରିତ
ଭୁବନେଶ୍ୱର : ରାଜ୍ୟରେ ଉପକୂଳ ଅର୍ଥନୀତି ତଥା ସାମୁଦ୍ରିକ ପର୍ଯ୍ୟାବରଣରେ ସନ୍ତୁଳନ ରକ୍ଷାକରିବାର ଲକ୍ଷ୍ୟ ନେଇ ରାଜ୍ୟ ସରକାର କାର୍ଯ୍ୟକାରୀ କରିବେ ଏକ ମେରାଇନ୍ ସ୍ପାସିଆଲ୍ ପ୍ଲାନ୍ ବା MSP। ଏଥିପାଇଁ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ପୃଥ୍ବୀ-ବିଜ୍ଞାନ ମନ୍ତ୍ରାଳୟ (Ministry of Earth Science) ମଧ୍ୟରେ ଲୋକସଭା ଭବନରେ ଏକ MoU ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ଅତିରିକ୍ତ ଶାସନ ସଚିବ ପୂଜା ମିଶ୍ର ଓ National Centre for Coastal Researchର ନିର୍ଦ୍ଦେଶକ ଡକ୍ଟର ଆର୍.ଏସ୍. କନ୍କରା ଏହି MoUରେ ସ୍ବାକ୍ଷର କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଏହି ମେରାଇନ୍ ସ୍ପାସିଆଲ୍ ପ୍ଲାନ୍ ବା MSP କାର୍ଯ୍ୟକାରୀ ହେବାଦ୍ବାରା ରାଜ୍ୟର ନୀଳ ଅର୍ଥନୀତି (Blue-Economy) ର ଉନ୍ନତି ହେବା ସହିତ ସାମୁଦ୍ରିକ ପର୍ଯ୍ୟାବରଣର ସୁରକ୍ଷା ମଧ୍ୟ ହୋଇପାରିବ। ସ୍ଥାନୀୟ ଉପକୂଳ ଅର୍ଥନୀତିର ଉନ୍ନତି ସହିତ ସାମୁଦ୍ରିକ ଜୀବଜଗତ ସୁରକ୍ଷିତ ରହିବେ। ସମନ୍ବିତ ଉପକୂଳ ଓ ସାମୁଦ୍ରିକ ଯୋଜନା କାର୍ଯ୍ୟକାରୀ କରିବାରେ ଏହି MSP ଏକ ନୂଆ ବେଞ୍ଚମାର୍କ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଭାରତ ସରକାର ଓ ନରୱେ ସରକାରଙ୍କ ମିଳିତ ସହଯୋଗରେ ୨୦୧୯ ମସିହା ଠାରୁ ଦେଶରେ Sustainable Ocean Planning ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହା ପୁଡୁଚେରୀ ଓ ଲାକ୍ଷାଦ୍ବୀପରେ କାର୍ଯ୍ୟକାରୀ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ଓଡିଶା ପ୍ରଥମ ରାଜ୍ୟ ଭାବେ ଏହା କାର୍ଯ୍ୟକାରୀ କରୁଛି। ଓଡିଶାର ଉପକୂଳ ଅର୍ଥନୀତି ଏବଂ ସାମୁଦ୍ରିକ ପର୍ଯ୍ୟାବରଣର ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାର ଏହି ଯୋଜନାକୁ ଓଡିଶାରେ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶାରେ ଉପକୂଳ ଓ ସାମୁଦ୍ରିକ ଅଞ୍ଚଳ ଜୈବବିବିଧତାରେ ପରିପୂର୍ଣ୍ଣ ଏବଂ ଉପକୂଳ ଅଞ୍ଚଳ ପାଇଁ ପ୍ରଚୁର ପ୍ରାକୃତିକ ସମ୍ବଳ ଯୋଗାଇଥାଏ। ସ୍ଥାନୀୟ ଜୀବିକା, ଅର୍ଥନୈତିକ ଅଭିବୃଦ୍ଧି ଓ ସନ୍ତୁଳିତ ପର୍ଯ୍ୟାବରଣ ପାଇଁ ଏହି ସମ୍ବଳ ଗୁଡିକ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେବେ ବିକାଶ କାର୍ଯ୍ୟକ୍ରମ, ପରିବେଶ ଉପରେ ଏହାର ପ୍ରଭାବ ଏବଂ ବିଭିନ୍ନ କ୍ଷେତ୍ରର କ୍ରମାଗତ ଚାହିଦା ବୃଦ୍ଧି ଯୋଗୁ ସାମୁଦ୍ରିକ ଅଞ୍ଚଳ ଗୁଡିକୁ ବୈଜ୍ଞାନିକ ପଦ୍ଧତିରେ ପରିଚାଳନା କରିବାର ଆବଶ୍ୟକତା ସୃଷ୍ଟି ହୋଇଛି। ଏହି ମେରାଇନ୍ ସ୍ପାସିଆଲ୍ ପ୍ଲାନ୍ ବା MSP ଏ କ୍ଷେତ୍ରରେ ଏକ ସମୟ ଉପଯୋଗୀ ପଦକ୍ଷେପ। ଏହା ଆମର ମତ୍ସ୍ୟଚାଷ, ପର୍ଯ୍ୟଟନ, ବନ୍ଦର, ସାମୁଦ୍ରିକ ଶକ୍ତି ଆଦି ବିଭିନ୍ନ କ୍ଷେତ୍ରର ଆବଶ୍ୟକତା ପୂରଣ କରିବା ସହିତ ମେରାଇନ୍ ଇକୋସିଷ୍ଟମର ସୁରକ୍ଷାରେ ମଧ୍ୟ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତବର୍ଷ ଅଗଷ୍ଟ ମାସରେ ସାମୁଦ୍ରିକ ପର୍ଯ୍ୟାବରଣର ଓ ସ୍ଥାନୀୟ ଅର୍ଥନୀତିର ଉନ୍ନତି ପାଇଁ ବାୟୋଟେକ୍ନୋଲୋଜିର ବ୍ୟାପକ ପ୍ରୟୋଗ କରିବାକୁ OMBRIC (Odisha Marine Biotechnology Research and Innovation Corridor) ଆରମ୍ଭ କରାଯାଇଥିଲା। ଏହା ଆମର ବର୍ତ୍ତମାନର MSP କାର୍ଯ୍ୟକ୍ରମକୁ ସୁଦୃଢ କରିବ ବୋଲି ସେ କହିଥିଲେ। ସମୃଦ୍ଧ ଓଡିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ର ଲକ୍ଷ୍ୟକୁ ସବୁ ଦୃଷ୍ଟିରୁ ପୂରଣ କରିବା ପାଇଁ ଉପକୂଳ ଅର୍ଥନୀତି ଓ ସାମୁଦ୍ରିକ ପର୍ଯ୍ୟାବରଣର ସୁରକ୍ଷା ଏକ ଜରୁରୀ ଆବଶ୍ୟକତା। ତେଣୁ, ଏ କ୍ଷେତ୍ରରେ ନରୱେ ସରକାର ସହଯୋଗ ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ପ୍ରତ୍ୟେକ କ୍ଷେତ୍ରରେ ଓଡିଶାକୁ ଦୃଢ ସମର୍ଥନ ଦେଇଆସିଛନ୍ତି। ଓଡିଶାର ବିକାଶ ପ୍ରତି ତାଙ୍କର ଫୋକସ ଯୋଗୁ Sustainable Ocean Planning ର ଦ୍ବିତୀୟ ପର୍ଯ୍ୟାୟରେ ଓଡିଶା ପ୍ରଥମ ରାଜ୍ୟ ଭାବେ ଏହାକୁ କାର୍ଯ୍ୟକାରୀ କରିବାର ସୁଯୋଗ ପାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ପୃଥ୍ବୀ-ବିଜ୍ଞାନ ମନ୍ତ୍ରାଳୟକୁ ଧନ୍ୟବାଦ ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ନିଜର ମତାମତ ରଖି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ଯେ, କେନ୍ଦ୍ର ପୃଥ୍ବୀ-ବିଜ୍ଞାନ ମନ୍ତ୍ରାଳୟର ନେସନାଲ୍ ସେଣ୍ଟର ଫର୍ କୋଷ୍ଟାଲ ରିସର୍ଚ୍ଚ ବା NCCR ହେଉଛି ସାମୁଦ୍ରିକ ଗବେଷଣାରେ ଏକ ଅଗ୍ରଣୀ ଅନୁଷ୍ଠାନ। ସାମୁଦ୍ରିକ ଜୀବଜଗତର ସୁରକ୍ଷା, ପରିବେଶ ପରିବର୍ତ୍ତନର ପ୍ରଭାବ ଏବଂ ସାମୁଦ୍ରିକ ସମ୍ବଳର ଉନ୍ନତ ବ୍ୟବହାର ଦିଗରେ ଏହି ସଂସ୍ଥା ଗୁରୁତ୍ବପୂର୍ଣ୍ଣ ଅର୍ଥନୈତିକ ମଡେଲ୍ ପ୍ରସ୍ତୁତକରିଛି। ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ MSPର ସଫଳତା ପାଇଁ ସମସ୍ତ ସହଯୋଗ ଯୋଗାଇଦେବ ବୋଲି ସେ କହିଥିଲେ।
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଥିଲେ ଯେ, ୨୦୩୬ ଓ ୨୦୪୭ର ପରିକଳ୍ପନାକୁ ସଫଳ କରିବା ପାଇଁ ଏହି MSP ଏକ ମହତ୍ବପୂର୍ଣ୍ଣ ଅଭିଯାନ। ମତ୍ସ୍ୟ, ପର୍ଯ୍ୟଟନ ଏବଂ ସାମୁଦ୍ରିକ ଉତ୍ସ ଗୁଡିକର ସର୍ବାଧିକ ବିନିଯୋଗ ସହିତ ପର୍ଯ୍ୟାବରଣର ସୁରକ୍ଷା ଆମର ଲକ୍ଷ୍ୟ ବୋଲି ସେ କହିଥିଲେ।
କେନ୍ଦ୍ର ପୃଥ୍ବୀ-ବିଜ୍ଞାନ ମନ୍ତ୍ରାଳୟର ସଚିବ ଡକ୍ଟର ଏମ୍ ରବିଚନ୍ଦ୍ରନ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ଭିଜନ ୨୦୪୭ ପାଇଁ ଦେଶକୁ ସମସ୍ତ କ୍ଷେତ୍ରରେ ଅଭିବୃଦ୍ଧି ହାସଲ କରିବାକୁ ପଡିବ। ତା ସହିତ ପରିବେଶ ପରିବର୍ତ୍ତନର ଆହ୍ବାନକୁ ମଧ୍ୟ ମୁକାବିଲା କରିବାକୁ ହେବ। ଆମର ବ୍ଲୁ-ଇକୋନୋମି ଯେପରି ସଷ୍ଟେନେବଲ୍ (ଦୀର୍ଘସ୍ଥାୟୀ) ହେବ, ସେଥିପାଇଁ ଏହି MSP ସହାୟକ ହେବ ବୋଲି ସେ ମତ ଦେଇଥିଲେ।
ରୟାଲ ନରୱେଜିଆନ୍ ଏମ୍ବାସୀର ଡେପୁଟି ଆମ୍ବାସାଡର ମିଷ୍ଟର ଅର୍ଭିନ୍ ଗାଡ୍ଗିଲ କହିଲେ ଯେ, ଓଡିଶାର ଏକ ସାମୁଦ୍ରିକ ବାଣିଜ୍ୟ ଐତିହ୍ୟ ରହିଛି। ଏହାର ଏକ ଦୀର୍ଘ ଉପକୂଳ ରହିଛି। ତେଣୁ ସାମୁଦ୍ରିକ ଅର୍ଥନୀତି ତଥା ପର୍ଯ୍ୟାବରଣର ସୁରକ୍ଷା ପାଇଁ ଓଡିଶାର ଏହି ଉଦ୍ୟମରେ ନରୱେ ସରକାର ସମ୍ପୂର୍ଣ୍ଣ ସହାୟତା ଯୋଗାଇଦେବେ। ଟେକ୍ନୋଲୋଜି ଭିତ୍ତିକ ସମ୍ବଳ ପରିଚାଳନା ଜରିଆରେ ଓଡିଶାର ଲୋକଙ୍କ ଦୀର୍ଘକାଳୀନ ବିକାଶ ଲକ୍ଷ୍ୟ ପୂରଣ କରିବା ପାଇଁ ଉଦ୍ୟମ କରାଯିବ ବୋଲି ସେ କହିଥିଲେ।
ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଅରୁମୁଗମ୍ ସ୍ବାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କେନ୍ଦ୍ର ସରକାରଙ୍କ ପୃଥ୍ବୀ-ବିଜ୍ଞାନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଗଣ, ନରୱେ ସରକାରଙ୍କ ଅଧିକାରୀଗଣ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।


