ଦୟା ନଦୀକୂଳରେ କଳିଙ୍ଗର ବୀର ସୈନମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ତର୍ପଣ ଶିଳାସ୍ତମ୍ଭ ସ୍ଥାପନ ପ୍ରସ୍ତାବ

ଭୁବନେଶ୍ୱର: କଳିଙ୍ଗ ଯୁଦ୍ଧ ପୃଥିବୀ ଇତିହାସରେ ଏକ ଯୁଗାନ୍ତକାରୀ ଘଟଣା। କଳିଙ୍ଗର ବୀର ସୈନିକମାନେ, ଯେଉଁମାନେ ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ରୂପାନ୍ତରିତ କରି ଇତିହାସରେ ବୀରତ୍ବ ଓ ପରିବର୍ତ୍ତନର ମହାନଗାଥା ଲେଖି ଯାଇଥିଲେ, ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ତର୍ପଣ ଶିଳାସ୍ତମ୍ଭ ସ୍ଥାପନର ପ୍ରସ୍ତାବ ଉପରେ ବିଚାର କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏକ କମିଟି ଗଠନ କରାଯାଇଛି।

ଏକାମ୍ର ବିଧାୟକ ବାବୁ ସିଂଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠିତ ହୋଇଛି। ବିଶିଷ୍ଟ ସାହିତ୍ୟିକ ଡ଼. ପ୍ରତିଭା ରାୟ, ବିଶିଷ୍ଟ ଐତିହାସିକ ଡ଼. ନିହାର ରଞ୍ଜନ ପଟ୍ଟନାୟକ, ଡ଼. ବେଣୁଧର ପାତ୍ର, ଡ଼.ଅନାମ ବେହେରା, ବିଶିଷ୍ଟ ଇତିହାସ ଗବେଷକ ଅନିଲ ଧୀର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଦେବ ପ୍ରସାଦ ଦାଶ, ଖୋର୍ଦ୍ଧା ଜିଲ୍ଲା ଜିଲ୍ଲାପାଳଙ୍କ ସ୍ଥାନୀୟ ରାଜସ୍ୱ ବିଭାଗ ଅଧିକାରୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ ନିର୍ଦ୍ଦେଶକ ଏବଂ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱର ପ୍ରତିନିଧି ପ୍ରମୁଖ କମିଟିରେ ସଦସ୍ୟ ରହିଛନ୍ତି।

ଧଉଳି ଠାରେ ଏକାମ୍ର ବିଧାୟକ ବାବୁ ସିଂଙ୍କ ଅଧ୍ୟକ୍ଷତାରେ କମିଟିର ସଦସ୍ୟମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଧଉଳିର ପାଦଦେଶରେ ଦୟା ନଦୀକୂଳରେ କଳିଙ୍ଗ ଯୁଦ୍ଧରେ ମୃତ୍ୟୁ ବରଣ କରିଥିବା କଳିଙ୍ଗର ବୀର ସୈନମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ତର୍ପଣ ଶିଳାସ୍ତମ୍ଭ ସ୍ଥାପନ କରିବା ସହ ଏକ ସଂଗ୍ରହାଳୟ, କାରୁବାକୀ ମନ୍ଦିର, ଆମ୍ପି-ଥିଏଟର ସ୍ଥାପନ କରିବା ପାଇଁ କମିଟିର ସଦସ୍ୟମାନେ ପ୍ରସ୍ତାବ ଦେଇଛନ୍ତି।

Leave a Reply

Your email address will not be published. Required fields are marked *