ତେଳ ପ୍ରତାପଙ୍କୁ ଦଳ ଓ ପରିବାରରୁ ବାହାର କରିଦେଲେ ଲାଲୁ

ପାଟନା: ଆରଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବ ତାଙ୍କ ବଡ ପୁଅ ତେଜ ପ୍ରତାପ ଯାଦବଙ୍କୁ ଦଳ ଓ ପରିବାରରୁ ବିଦା କରିଦେଇଛନ୍ତି । ତେଜ ପ୍ରତାପ ଫେସବୁକରେ ଅନୁଷ୍କା ଯାଦବଙ୍କ ସହିତ ତାଙ୍କର ଦୀର୍ଘକାଳର ସମ୍ପର୍କ ବିଷୟ ପ୍ରକାଶ କରିବା ପରେ ଲାଲୁ ଏଭଳି ପଦକ୍ଷେପ ନେଇଛନ୍ତି । ତେଜ ପ୍ରତାପ ନିଜର ଫେସବୁକରେ ଉଲ୍ଲେଖ କରିଥିଲେ ଯେ ଅନୁଷ୍କାଙ୍କ ସହିତ ତାଙ୍କର ଦୀର୍ଘ ୧୨ ବର୍ଷର ପ୍ରେମ ସମ୍ପର୍କ ରହିଛି । ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଲାଲୁ ପ୍ରସାଦ କହିଛନ୍ତି ତେଜ ପ୍ରତାପଙ୍କର ବିଶୃଙ୍ଖଳିତ ଆଚରଣ ଏବଂ ପାରିବାରିକ ମୂଲ୍ୟବୋଧରୁ ବିଚୁ୍ୟତି କାରଣରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି । ତାଙ୍କୁ ଦଳରୁ ଛଅ ବର୍ଷ ପାଇଁ ବହିଷ୍କାର କରାଯିବା ସହିତ ତାଙ୍କ ସହିତ ପାରିବାରିକ ସମ୍ପର୍କ ଛିନ୍ନ କରିଦିଆଯାଇଛି । ଅନ୍ୟପକ୍ଷରେ ତେଜ ପ୍ରତାପ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ତାଙ୍କ ଫେସବୁକ ଆକାଉଣ୍ଟକୁ କେହି ହ୍ୟାକ କରି ଏଭଳି ପୋଷ୍ଟ କରିଛି ।

ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉଲ୍ଲେଖ କରି ଲାଲୁ କହିଛନ୍ତି ବ୍ୟକ୍ତିଗତ ଜୀବନରେ ନୈତିକ ମୂଲ୍ୟବୋଧକୁ ଅଣଦେଖା କରିବା ଦ୍ୱାରା ତାହା ସାମାଜିକ ନ୍ୟାୟ କ୍ଷେତ୍ରରେ ଦଳର ସାମୂହିକ ପ୍ରୟାସକୁ ଦୁର୍ବଳ କରିଦେବା ଭଳି ହେଉଛି । ତେଜ ପ୍ରତାପଙ୍କ ଆଚରଣ ପାରିବାରିକ ମୂଲ୍ୟବୋଧ ଓ ପରମ୍ପରାର ପରିପନ୍ଥୀ ହୋଇଛି । ସେଥିପାଇଁ ସେ ତେଜ ପ୍ରତାପଙ୍କୁ ଦଳ ଓ ପରିବାରରୁ ବହିଷ୍କାର କରିଛନ୍ତି । ଏଣିକି ଦଳରେ ତାଙ୍କର ଆଉ କୋ÷ଣସି ଭୂମିକା ରହିବନାହିଁ । ତାହାସହିତ ପରିବାର ସହିତ ମଧ୍ୟ ତାଙ୍କର କୋ÷ଣସି ସମ୍ପର୍କ ନାହିଁ । ଲାଲୁ ଏହା ମଧ୍ୟ କହିଛନ୍ତି ଯେ, ୩୭ ବର୍ଷ ବୟସ୍କ ତେଜ ପ୍ରତାପ ଭଲ କେଉଁଟି ଏବଂ ମନ୍ଦ କେଉଁଟି ତାହା ଜାଣିବାକୁ ସମର୍ଥ । ତେଣୁ ତାଙ୍କ ସହିତ କିଏ ସମ୍ପର୍କ ରଖିବେ କିମ୍ବା ନରଖିବେ ତାହା ତାଙ୍କ ଉପରେ ନିର୍ଭର କରୁଛି । ଅନ୍ୟପକ୍ଷରେ ଲାଲୁପ୍ରସାଦଙ୍କ ସାନ ପୁଅ ତେଜସ୍ୱୀ ଯାଦବ କହିଛନ୍ତି, ସେ ଗଣମାଧ୍ୟମରୁ ଏ ସମ୍ପର୍କରେ ଜାଣିବାକୁ ପାଇଛନ୍ତି । ତାଙ୍କ ମତରେ ଜଣେ ରାଜନୈତିକ ଓ ବ୍ୟକ୍ତିଗତ ଜୀବନକୁ ପୃଥକ ରଖିବା ଉଚିତ । ସେ ଏହା ପସନ୍ଦ କିମ୍ବା ସହ୍ୟ କରନ୍ତି ନାହିଁ । ବ୍ୟକ୍ତିଗତ ଜୀବନ ଅଲଗା ରହିବା କଥା । ସେ ପରିବାରର ବଡ ପୁଅ ଏବଂ ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ନେବାର ଅଧିକାର ରହିଛି । କିନ୍ତୁ ଲାଲୁ ପ୍ରସାଦ ନିଜ ମତ ସ୍ପଷ୍ଟ କରିଛନ୍ତି । ସେ ଯାହା ଠିକ ଭାବିଲେ ତାହା କରିଛନ୍ତି । ଇତିମଧ୍ୟରେ ଜେଡି (ୟୁ) ନେତା ନିତିଶ କୁମାର କହିଛନ୍ତି, ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ ଜନସାଧାରଣ ନଜର ଭିନ୍ନ ଆଡକୁ ନେଇଯିବାକୁ ଲାଲୁ ପ୍ରୟାସ କରୁଛନ୍ତି ।

Leave a Reply

Your email address will not be published. Required fields are marked *