‘ବ୍ୟକ୍ତି, ସମାଜ ଓ ପରିବେଶ ପରସ୍ପର ପରିପୂରକ’

ଭୁବନେଶ୍ବର: ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡ଼ିଶା ସରକାରଙ୍କ ଆୟୋଜନରେ ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟରରେ “ପ୍ରକୃତିରୁ ପ୍ରେରଣା-ଜଳବାୟୁ ପାଇଁ, ଆମ ଭବିଷ୍ୟତ ପାଇଁ” ବିଷୟବସ୍ତୁକୁ ନେଇ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ-୨୦୨୬ ପାଳିତ ହୋଇଯାଇଛି। ଏହି ଅବସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରଦର୍ଶନୀ ଉଦ୍‌ଘାଟନ କରିବା ସହ ବିଭିନ୍ନ ସଂସ୍ଥା ଦ୍ବାରା ପ୍ରସ୍ତୁତ ଷ୍ଟଲଗୁଡ଼ିକ ପରିଦର୍ଶନ କରିଥିଲେ। ପରେ ସଭାକକ୍ଷରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୁଷ୍ପାର୍ଘ୍ୟ ଅର୍ପଣ, ବଟବୃକ୍ଷ୍ୟକୁ ଜଳ ପ୍ରଦାନ ଏବଂ ରାଜ୍ୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ” ପରିବେଷଣ ସହ କାର୍ଯ୍ୟକ୍ରମର ଔପଚାରିକ ଶୁଭାରମ୍ଭ ହୋଇଥିଲାI ଏହି ପବିତ୍ର ଅବସରରେ, ମନ୍ତ୍ରୀ ରାଜ୍ୟର ଶ୍ରେଷ୍ଠ ତିନୋଟି ଇକୋ-କ୍ଲବକୁ ସମ୍ମାନିତ କରିଥିଲେI ବିଭାଗ ଦ୍ବାରା ପ୍ରସ୍ତୁତ ବିଭିନ୍ନ ପ୍ରକାଶନ ମଧ୍ଯ ଉନ୍ମୋଚିତ ହୋଇଥିଲା I

ତାଙ୍କ ଅଭିଭାଷଣରେ ମନ୍ତ୍ରୀ କହିଥିଲେ ଯେ, ବ୍ୟଷ୍ଟି, ସମଷ୍ଟି, ସୃଷ୍ଟି ଓ ପରମେଷ୍ଟି, ଅର୍ଥାତ୍ ବ୍ୟକ୍ତି, ସମାଜ ଓ ପରିବେଶ ପରସ୍ପର ପରିପୂରକ। ତେଣୁ ଏହାର ସନ୍ତୁଳନ ବଜାୟ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ।  ସେ ଆହୁରି କହିଥିଲେ ଯେ, ପାରମ୍ପରିକ ଚାଷ ପଦ୍ଧତି ପରିବେଶ ସୁରକ୍ଷାରେ ସହାୟକ ଥିଲା, ତେଣୁ ତାହାର ମୂଳ ତତ୍ତ୍ୱକୁ ଧ୍ୟାନରେ ରଖି ନୂତନ ପ୍ରଣାଳୀ ଅବଲମ୍ବନ କରିବା ଉଚିତ।

ଏହି ପରିପ୍ରେକ୍ଷୀରେ ସେ ଆହୁରି କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଏକ ସବୁଜ, ସ୍ୱଚ୍ଛ ଓ ଜଳବାୟୁ-ସହନଶୀଳ ଓଡ଼ିଶା ଗଠନ ଦିଗରେ ଦୃଢ଼ତାର ସହ ଅଗ୍ରସର ହେଉଛନ୍ତି। ଜନସଚେତନତା କାର୍ଯ୍ୟକ୍ରମ ଓ ସମୁଦାୟଭିତ୍ତିକ ପରିବେଶ ପରିଚାଳନା ମାଧ୍ୟମରେ ପରିବେଶ ସୁରକ୍ଷାକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ବିଭାଗ କାର୍ଯ୍ୟ କରୁଛି। ଭବିଷ୍ୟତ ପିଢ଼ି ପାଇଁ ଏକ ସୁରକ୍ଷିତ ଓ ସୁସ୍ଥ ପରିବେଶ ଗଢ଼ି ତୋଳିବା ଆମର ସର୍ବୋଚ୍ଚ ଲକ୍ଷ୍ୟ ବୋଲି ସେ ମତ ପ୍ରକାଶ କରିଥିଲେ। ସେ କହିଥିଲେ ଯେ #NowForClimate ଅଭିଯାନ ମାଧ୍ୟମରେ ଜଳବାୟୁ-ଅନୁକୂଳ ଜୀବନଶୈଳୀ ଓ ସ୍ଥାୟୀ ପରିବେଶ ଅଭ୍ୟାସକୁ ପ୍ରୋତ୍ସାହିତ କରାଯାଉଛି।

ପରିବେଶ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ “ପ୍ରକୃତି ମିତ୍ର” ଓ “ପ୍ରକୃତି ବନ୍ଧୁ” ସମ୍ମାନପ୍ରାପ୍ତ ୨୦୫ଟି ଅନୁଷ୍ଠାନ ଏବଂ ୨୦୭ ଜଣ ବ୍ୟକ୍ତିଙ୍କୁ ଅଭିନନ୍ଦନ ଜଣାଇ ସେ ସମସ୍ତଙ୍କୁ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇ ଏହି ଜନଆନ୍ଦୋଳନରେ ସାମିଲ ହେବାକୁ ଆହ୍ବାନ କରିଥିଲେI

ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଶାସନ ସଚିବ, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡ଼ିଶା, ଭାସ୍କର ଜ୍ୟୋତି ଶର୍ମା, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ, ଓଡ଼ିଶା, ଡ. କେ ମୁରୁଗେସନ, ନିର୍ଦ୍ଦେଶକ, ପରିବେଶ ତଥା ସ୍ଵତନ୍ତ୍ର ଶାସନ ସଚିବ, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡ଼ିଶା କେ. ଏସ. ପ୍ରଦୀପ. ମଧ୍ୟ ଉପସ୍ଥିତ ଥିଲେ।

ଏହା ବ୍ୟତୀତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଶିକ୍ଷାନୁଷ୍ଠାନର ପ୍ରତିନିଧି, ଇକୋ-କ୍ଲବ ସଦସ୍ୟ, ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି, ପରିବେଶବିତ୍ ଏବଂ ପରିବେଶପ୍ରେମୀ ନାଗରିକମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *