ଜଳ ଓ ଭେକ୍ଟର ବାହିତ ରୋଗ ନିରାକରଣ କାର୍ୟ୍ୟକ୍ରମ ବ୍ୟାପକ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ବର୍ଷା ଋତୁର ପ୍ରାରମ୍ଭରେ ଜଳ ଓ ଭେକ୍ଟର ବାହିତ ରୋଗଗୁଡିକର ନିରାକରଣ, ପ୍ରତିଷେଧ ଓ ପରିଚାଳନା ନିମନ୍ତେ ସମସ୍ତ କାର୍ୟ୍ୟକ୍ରମକୁ ଅଧିକ କ୍ରିୟାଶୀଳ ଓ ଲକ୍ଷ୍ୟଭେଦୀ କରିବା ପାଇଁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନ ସଭାଗୃହଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏଦିଗରେ ବର୍ତ୍ତମାନ ପର୍ୟ୍ୟନ୍ତ ନିଆଯାଇଥିବା ପଦକ୍ଷେପଗୁଡିକର ସମୀକ୍ଷା କରି ଶ୍ରୀ ଆହୁଜା ଏହି ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଅଶ୍ୱତୀ ଏସ୍ ସଦ୍ୟତନ ତଥ୍ୟ ଓ ତତ୍ସମ୍ବନ୍ଧୀୟ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।
ବୈଠକରେ ମୁଖ୍ୟତଃ ବର୍ଷାଦିନିଆ ରୋଗ ଯଥା ଡାଇରିଆ, ଜଣ୍ଡିସ୍, ମ୍ୟାଲେରିଆ, ଡ଼େଙ୍ଗୁ ଆଦି ରୋଗର ପ୍ରତିରୋଧ ଓ ଚିକିତ୍ସା ବିଷୟରେ ସବିଶେଷ ଆଲୋଚନା ହୋଇଥିଲା। ଜିଲ୍ଲାୱାରୀ ସ୍ଥିତିର ସମୀକ୍ଷା କରି କ୍ଷେତ୍ରସ୍ତରରେ ସଚେତନତା କାର୍ୟ୍ୟକ୍ରମକୁ ଅଧିକ ପ୍ରଭାବୀ କରିବା, ଘରକୁ ଘର ସର୍ବେକ୍ଷଣ କରି ଆରମ୍ଭରୁ ରୋଗର ଚିହ୍ନଟ କରିବା, ସରକାରୀ ଡ଼ାକ୍ତରଖାନାମାନଙ୍କରେ ଶଯ୍ୟା ସଂଖ୍ୟା ବୃଦ୍ଧି କରିବା, ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା, ସ୍ୱାସ୍ଥ୍ୟକେନ୍ଦ୍ର ଓ ହସ୍ପିଟାଲମାନଙ୍କରେ ଆବଶ୍ୟକୀୟ ଓୗଷଧ ଓ ସାଲାଇନ୍ ଆଦି ମହଜୁଦ ରଖିବା ଆଦି ନିଶ୍ଚିତ କରାଇବା ପାଇଁ ଶ୍ରୀ ଆହୁଜା ନିର୍ଦ୍ଦେଶ ଦେଇଥିଲେ।
ଆଶାକର୍ମୀ, ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀ, କମ୍ୟୁନିଟି ହେଲ୍ଥ୍ ଓ୍ୱାର୍କର ଆଦି କ୍ଷେତ୍ରସ୍ତରୀୟ କର୍ମୀମାନଙ୍କୁ ସଠିକ୍ଭାବେ ଅନୁପ୍ରେରିତ କରି ଗ୍ରାମ ଓ ୱାର୍ଡସ୍ତରରେ ସମସ୍ତ ରୋଗ ପ୍ରତିରୋଧ କାର୍ୟ୍ୟକ୍ରମ ଦୃଢ଼ୀଭୁତ କରିବାକୁ ବୈଠକରେ ସ୍ଥିର ହୋଇଥିଲା। ଗ୍ରାମ ଓ ସହରାଞ୍ଚଳରେ ଥିବା ସମସ୍ତ ନଳକୂପ ଓ ପାନୀୟ ଜଳସ୍ରୋତକୁ ନିୟମିତ ଭାବେ ବିଶୋଧିତ କରିବା ପାଇଁ ଜଳ ଯୋଗାଣ ବିଭାଗ ଯନ୍ତ୍ରୀମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷାନୁଷ୍ଠାନ ପରିସରରେ ଥିବା ନଳକୂପ, କୂପ ଓ ପାଣି ଟାଙ୍କି ଆଦିକୁ ବୈଜ୍ଞାନିକ ପଦ୍ଧତିରେ ସଠିକ ଭାବେ ବିଶୋଧିତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ଦୂର ଦୂରାନ୍ତ ଅଞ୍ଚଳରେ ମୋବାଇଲ୍ ହେଲ୍ଥ୍ ୟୁନିଟ୍ ଗୁଡିକୁ ଅଧିକ କ୍ରିୟାଶୀଳ କରିବା ପାଇଁ ବୈଠକରେ ଉପସ୍ଥିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବଙ୍କୁ ପରାମର୍ଶ ଦିଆଯାଇଥିଲା।ମ୍ୟାଲେରିଆ ଓ ଡେଙ୍ଗୁ ପ୍ରବଣ ଅଞ୍ଚଳ ମାନଙ୍କରେ“ଦମନ”କାର୍ୟ୍ୟକ୍ରମକୁ ସଘନ ଓ ବ୍ୟାପକ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ବର୍ଷା ଋତୁ ଜନିତ ରୋଗର ସର୍ବେକ୍ଷଣ, ଚିକିତ୍ସା ଓ ପରିଚାଳନା ନିମନ୍ତେ ଜିଲ୍ଲାସ୍ତରରେ ୨୪ ଘଣ୍ଟା ଭିତ୍ତିରେ କଣ୍ଟ୍ରୋଲ ରୁମ୍ କାର୍ୟ୍ୟକ୍ଷମ କରିବା ପାଇଁ ମଧ୍ୟ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ଯାଜପୁର ଓ ଭଦ୍ରକ ଜିଲ୍ଲାର କେତେକ ଯାଗାରେ ଦେଖାଦେଇଥିବା ଡାଇରିଆ ରୋଗ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ଜଣାଇଥିଲେ ଯେ ଏସବୁ ସ୍ଥାନରେ ସର୍ବେକ୍ଷଣ ଓ ଡାକ୍ତରୀ ଦଳ କାର୍ୟ୍ୟରତ ଅଛନ୍ତି। ସଂଗ୍ରହ କରାଯାଇଥିବା ୪୧ଟି ଝାଡ଼ା ନମୁନା ମଧ୍ୟରୁ ୮ଟିରେ କଲେରା ପଜିଟିଭ୍ ସଙ୍କେତ ମିଳିଛି। ୧୦ଦିନ ମଧ୍ୟରେ ବିଶୋଧନ କାର୍ୟ୍ୟ ସଂପୂର୍ଣ୍ଣ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ବ୍ୟାପକ ସଚେତନତା, କ୍ଷେତ୍ର ସ୍ତରୀୟ ପ୍ରତିଷେଧ ଓ ପ୍ରାଥମିକ ସ୍ତରରେ ଚିହ୍ନଟ ଓ ଚିକିତ୍ସା ଆଦି ମାଧ୍ୟମରେ ସ୍ଥିତି ନିୟନ୍ତ୍ରଣାଧିନ ଅଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଜଣାଇଥିଲେ।
ହାଇବ୍ରିଡ୍ ମୋଡ୍ରେ ଅନୁଷ୍ଠିତ ଏହି ବୈଠକରେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଯାଜପୁର ଜିଲ୍ଲା ନିରୀକ୍ଷଣ ଦାୟିତ୍ୱରେ ଥିବା ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ଶାସନ ସଚିବ ଗିରୀଶ ଏସ୍.ଏନ୍ ଏବଂ ବିଭାଗର ନିର୍ଦ୍ଦେଶକ ବିନୀତ ଭରଦ୍ୱାଜ ଯାଜପୁରରୁ କ୍ଷେତ୍ରୀୟ ସ୍ଥିତି ଓ ଜାରି ରହିଥିବା ପ୍ରତିକାରାତ୍ମକ ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ।