ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ଜାତୀୟ ଏକତା ପ୍ରତି ପ୍ରତିବଦ୍ଧତାକୁ ସୁଦୃଢ କରୁଛି- ରାଜ୍ୟପାଳ

ଭୁବନେଶ୍ୱର: ରାଜଭବନରେ ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ଜାତୀୟ ଏକତା, ପ୍ରଗତି ଏବଂ ଜାତୀୟ ଗର୍ବ ପ୍ରତି ଆମର ପ୍ରତିବଦ୍ଧତାକୁ ସୁଦୃଢ  କରୁଛି ବୋଲି ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି  କହିଛନ୍ତି। ଚଳିତ ଜୁନ ୨୧ ତାରିଖ ଅପରାହ୍ନରେ ନ୍ୟୁ ଅଭିଷେକ ହଲ ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ  ପଶ୍ଚିମବଙ୍ଗ  ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଜ୍ୟପାଳ ଏହା କହିଛନ୍ତି। ଏହି ସମାରୋହରେ ଉଦବୋଧନ ଦେଇ  ରାଜ୍ୟପାଳ କହିଥିଲେ ଯେ, ପ୍ରତ୍ୟେକ ରାଜ୍ୟର ନିଜର ଅନନ୍ୟ ପରିଚୟ ଥିଲେ ମଧ୍ୟ ଏକାଠି ହୋଇ ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନ ପାଇଁ ଏପରି କାର୍ୟ୍ୟକ୍ରମ ଉଦବୁଦ୍ଧ କରେ। ଏହି ଅବସରରେ ପଶ୍ଚିମବଙ୍ଗର ଅଧିବାସୀ ତଥା ଓଡ଼ିଶାରେ ରହୁଥିବା ପଶ୍ଚିମବଙ୍ଗର ବାସିନ୍ଦାମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ରାଜ୍ୟପାଳ କହିଥିଲେ ଯେ, ଓଡିଶା ଏବଂ ପଶ୍ଚିମବଙ୍ଗ ଅନେକ ଦୃଷ୍ଟିରୁ  ଅନନ୍ୟ ହୋଇଥିଲେ ମଧ୍ୟ ଦୁଇ ରାଜ୍ୟ ମଧ୍ୟରେ ଗଭୀର ସାଂସ୍କୃତିକ, ଭାଷାଗତ ସମ୍ପର୍କ  ରହିଛି ଏବଂ ପାରମ୍ପରିକ ବନ୍ଧନରେ ପୀଢ଼ି ପରେ ପୀଢ଼ି ସଂଯୋଗ ହୋଇ ରହିଛନ୍ତି। ରାଜ୍ୟପାଳ ପଶ୍ଚିମବଙ୍ଗକୁ ଭାରତର ରୂପାନ୍ତରଣର ଏକ ପ୍ରତୀକ ଭାବରେ ଅଭିହିତ କରି କହିଥିଲେ ଯେ, ପ୍ରାଚୀନ ସଭ୍ୟତାରୁ ଆଧୁନିକ ଡିଜିଟାଲ ଯୁଗ ପର୍ୟ୍ୟନ୍ତ ଏବଂ ନିରନ୍ତର ସାମାଜିକ, ସାଂସ୍କୃତିକ, ସାହିତ୍ୟିକ , ରାଜନୈତିକ, ଶିଳ୍ପ ଏବଂ ବୈଜ୍ଞାନିକ ପ୍ରଗତିର କେନ୍ଦ୍ର ସାଜିଛି।

ରାଜ୍ୟର କିମ୍ବଦନ୍ତୀ ବ୍ୟକ୍ତିତ୍ଵମାନଙ୍କୁ ସ୍ମରଣ କରି ରାଜ୍ୟପାଳ କହିଥିଲେ ଯେ ଏହି ମାଟିର ଅନେକ ସନ୍ତାନ ଜାତିର ମଶାଲବାହକ ସାଜିଛନ୍ତି। ସନ୍ଥ ଶ୍ରୀ ଚୈତନ୍ୟ, ରାଜା ରାମ ମୋହନ ରାୟ, ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର, ସ୍ୱାମୀ ବିବେକାନନ୍ଦ, ନୋବେଲ ପୁରସ୍କାର ବିଜେତା ରବିନ୍ଦ୍ରନାଥ ଟାଗୋର ଏବଂ ମଦର ଟେରେସାଙ୍କ ଅବଦାନକୁ ରାଜ୍ୟପାଳ ସ୍ମରଣ କରାଇଥିଲେ। ପଶ୍ଚିମବଙ୍ଗ ରାଜ୍ୟର  ପ୍ରାକୃତିକ ବୈଭବ ଯେଉଁଥିରେ ରମଣୀୟ ହିମାଳୟ, ଦାର୍ଜିଲିଂର ଚା ବଗିଚା, ସୁନ୍ଦରବନର ହେନ୍ତାଳ ବନ ଏବଂ ବଙ୍ଗୋପସାଗର କୂଳରେ ଅବସ୍ଥିତ ମନୋରମ ବେଳାଭୂମିର କଥା ଅବତାରଣା କରିଥିଲେ। ଏତଦବ୍ୟତୀତ  ପଶ୍ଚିମବଙ୍ଗର ଜୀବନ୍ତ ସାଂସ୍କୃତିକ ଏବଂ ଧାର୍ମିକ ପରମ୍ପରା ବିଶେଷ କରି ଦୁର୍ଗା ପୂଜାର ମହିମାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ଓଡ଼ିଶାରେ ବସବାସ କରୁଥିବା ପଶ୍ଚିମବଙ୍ଗର ବାସିନ୍ଦାମାନେ ଓଡିଶାକୁ ନିଜର ଦ୍ଵିତୀୟ ଘର ବୋଲି ବିବେଚନା କରିଛନ୍ତି ଏବଂ ଓଡ଼ିଶାର ଶିକ୍ଷାଗତ, ସାଂସ୍କୃତିକ ଏବଂ ବୃତ୍ତିଗତ ଜୀବନରେ ଅର୍ଥପୂର୍ଣ୍ଣ ଅବଦାନ ରଖିଛନ୍ତି ବୋଲି ରାଜ୍ୟପାଳ କହିଥିଲେ। ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଜୟଶ୍ରୀ କମ୍ଭମପାଟି ଉକ୍ତ ସମାରୋହରେ ଉପସ୍ଥିତ ଥିଲେ।

ପ୍ରାରମ୍ଭରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ  ଏନ୍.ବି.ଏସ୍. ରାଜପୁତ ବକ୍ତବ୍ୟ ପ୍ରଦାନ କରି ରାଜ୍ୟ ପ୍ରତିଷ୍ଠା ଦିବସ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ସମାରୋହରେ ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ କାର୍ୟ୍ୟ କରୁଥିବା ପଶ୍ଚିମବଙ୍ଗର ମୂଳ ବାସିନ୍ଦା ନିଜ ରାଜ୍ୟର ସ୍ୱତନ୍ତ୍ରତା ଏବଂ ଓଡିଶା ସହ ସମ୍ପର୍କ ଏବଂ ଓଡ଼ିଶାରେ ସେମାନଙ୍କର ସୁଖଦ ଅନୁଭୂତି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ, ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଇଷ୍ଟର୍ଣ୍ଣ ଜୋନାଲ କଲଚରାଲ ସେଣ୍ଟର, କୋଲକାତା ତରଫରୁ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷିତ ହୋଇଥିଲା। ଏତଦବ୍ୟତୀତ  ପଶ୍ଚିମବଙ୍ଗ ରାଜ୍ୟର ପରମ୍ପରା, ଐତିହ୍ୟ ଏବଂ ସଂସ୍କୃତି ଉପରେ ଆଧାରିତ ଅଡିଓ ଭିଜୁଆଲ ଉପସ୍ଥାପନା କରାଯାଇଥିଲା।

Leave a Reply

Your email address will not be published. Required fields are marked *