ଅପରାଧୀଙ୍କୁ କଠୋର ଦଣ୍ଡ ସୁନିଶ୍ଚିତ କରିବାକୁ ଓଡ଼ିଶା ପୋଲିସ ଦୃଢ଼ ପ୍ରତିବଦ୍ଧ

ଅନୁଗୋଳ : ଅନୁଗୋଳ ଜିଲ୍ଲାରେ ଜଣେ ଯୁବତୀ ଓ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ବହୁଚର୍ଚ୍ଚିତ ମାମଲାରେ ଅନୁଗୋଳ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ (ଫାଷ୍ଟ ଟ୍ରାକ୍ ସ୍ପେଶାଲ କୋର୍ଟ) ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରି ୪ ଜଣ ଅଭିଯୁକ୍ତଙ୍କୁ କଠୋର ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ମାନ୍ୟବର ଅଦାଲତ ପୋକ୍ସୋ ଆଇନର ଧାରା–୬ ସମେତ ଭାରତୀୟ ନ୍ୟାୟ ସଂହିତା (BNS)ର ବିଭିନ୍ନ  ଧାରାରେ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ପ୍ରତ୍ୟେକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ବିଭିନ୍ନ ଧାରା ଅନୁଯାୟୀ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି।

ମାମଲାର ବିବରଣୀ ଅନୁଯାୟୀ, ୨୦୨୪ ମସିହା ଅଗଷ୍ଟ ୬ ତାରିଖରେ ଅନୁଗୋଳ ଅଞ୍ଚଳରେ ଜଣେ ୨୧ ବର୍ଷୀୟା ଯୁବତୀ ଓ ଜଣେ ନାବାଳିକାଙ୍କୁ ବଳପୂର୍ବକ ମଦ୍ୟପାନ କରାଇବା ପରେ ଉଭୟଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଏହି ଘଟଣା ସମ୍ପର୍କରେ ମାମଲା ରୁଜୁ ହେବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜିତୁ ସାହୁ, ହୃଦୟ ଚନ୍ଦ୍ର ପ୍ରଧାନ, ଅସିତ କୁମାର ସାହୁ ଓ ଦୀପୁ ଓରଫ ଦିବ୍ୟରଞ୍ଜନ ଅମାନ୍ତଙ୍କୁ ଗିରଫ କରିଥିଲା।

ଅନୁଗୋଳ ଜିଲ୍ଲା ଏସପି ରାହୁଲ ଜୈନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସବ୍-ଇନ୍ସପେକ୍ଟର ସଂଘମିତ୍ରା ଶତପଥୀ ମାମଲାର ତଦନ୍ତ କରିଥିଲେ। ମାମଲା ରୁଜୁ ହେବାର ମାତ୍ର ୫୯ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ତଦନ୍ତ ସମୟରେ ସଂଗୃହୀତ ଦୃଢ଼ ବୈଜ୍ଞାନିକ ପ୍ରମାଣ, ସାକ୍ଷ୍ୟ ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ମାନ୍ୟବର ଅଦାଲତ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି କଠୋର ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏହି ମାମଲାରେ ଦ୍ରୁତ ଓ ବୈଜ୍ଞାନିକ ତଦନ୍ତ, ସମୟୋପଯୋଗୀ ଚାର୍ଜସିଟ୍ ଦାଖଲ ଯୋଗୁଁ ଦୋଷୀମାନଙ୍କୁ ଶୀଘ୍ର ଦଣ୍ଡିତ କରାଯାଇପାରିଛି।

ମହିଳା ଓ ଶିଶୁଙ୍କ ବିରୋଧରେ ଘଟୁଥିବା ଜଘନ୍ୟ ଅପରାଧ ପ୍ରତି ଓଡ଼ିଶା ପୋଲିସର ‘ଜିରୋ ଟଲରେନ୍ସ’ନୀତି ଅବ୍ୟାହତ ରହିଛି। ବୈଜ୍ଞାନିକ, ଦ୍ରୁତ, ପୀଡ଼ିତା-କେନ୍ଦ୍ରିକ ଓ ପ୍ରମାଣଭିତ୍ତିକ ତଦନ୍ତ ମାଧ୍ୟମରେ ଅପରାଧୀଙ୍କୁ ଆଇନର କାଠଗଡ଼ାକୁ ଆଣି କଠୋର ଦଣ୍ଡ ସୁନିଶ୍ଚିତ କରିବା ପ୍ରତି ଓଡ଼ିଶା ପୋଲିସର ଦୃଢ଼ ପ୍ରତିବଦ୍ଧତାକୁ ଏହି ରାୟ ପୁନର୍ବାର ପ୍ରତିଫଳିତ କରିଛି।

Leave a Reply

Your email address will not be published. Required fields are marked *